ଶଶି ଥରୁରଙ୍କ ନାମରେ ଗିରଫ ପରୱାନା

କୋଲକାତା: କଂଗ୍ରେସ ସାଂସଦ ଶଶି ଥରୁର ଗତ ବର୍ଷ ‘ହିନ୍ଦୁ ପାକିସ୍ତାନ’ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ କୋଲକାତାର ଏକ କୋର୍ଟ ତାଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି। ସୁମିତ ଚୌଧୁରୀ ନାମକ ଜଣେ ଓକିଲଙ୍କ ଆବେଦନ କ୍ରମେ ଏହି କଂଗ୍ରେସ ନେତାଙ୍କ ଉଦ୍ଦେଶ୍ୟରେ ଗିରଫ ପରୱାନା ଜାରି କରିଛନ୍ତି ସ୍ଥାନୀୟ ଏକ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ କୋର୍ଟ।

ଗତ ବର୍ଷ ଜୁଲାଇ ମାସରେ ଥରୁର କହିଥିଲେ, ବିଜେପି ଯଦି ୨୦୧୯ ଲୋକସଭା ନିର୍ବାଚନ ଜିତିବ ଏହା ‘ହିନ୍ଦୁ ପାକିସ୍ତାନ’ ଗଠନ ଭଳି ସ୍ଥିତି ଉପୁଜାଇବ। ତାଙ୍କ ନିବାର୍ଚତୀ କ୍ଷେତ୍ର ଥିରୁଭନନ୍ତପୁରମ୍‌ଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସେ କହିଥିଲେ, ବିଜେପି ନୂଆ ସମ୍ବିଧାନ ରଚନା କରିବ, ଯାହା ପାକିସ୍ତାନ ଭଳି ସଂଖ୍ୟାଲଘୁଙ୍କ ଅଧିକାରକୁ ସମ୍ମାନ ଦେବନି।

ସେ କହିଥିଲେ, ବିଜେପି ପ୍ରସ୍ତୁତ କରିବାକୁ ଥିବା ନୂଆ ସମ୍ବିଧାନ ହିନ୍ଦୁରାଷ୍ଟ୍ରର ନିୟମ ପାଳନ କରିବ, ଯାହା ସଂଖ୍ୟାଲଘୁଙ୍କ ପାଇଁ ସମାନତା ବଜାୟ ରଖିବ ନାହିଁ। ଏହା ହିନ୍ଦୁ ପାକିସ୍ତାନ ତିଆରି କରିବ, ଯାହା ମହାତ୍ମା ଗାନ୍ଧି, ନେହରୁ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ୍ ଏବଂ ଅନ୍ୟମାନେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ।