ପ. ବଙ୍ଗ ରାଜ୍ୟପାଳଙ୍କୁ ଝଟ୍‌କା, ଆଉ ରହିବେନି ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି

କୋଲକାତା: ରାଜ୍ୟପାଳଙ୍କୁ ରାଜ୍ୟର ପ୍ରଥମ ନାଗରିକ କୁହାଯାଏ। ଆଳଙ୍କରିକ ଭାବେ ତାଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଏ। ଏହି ହିସାବରେ ସେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ଥା’ନ୍ତି। କିନ୍ତୁ ରାଜ୍ୟପାଳ ଥିବା ସମୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକର୍‌ଙ୍କୁ ତୃଣମୂଳ କଂଗ୍ରେସ ସରକାରର ରୋଷର ଶିକାର ହେବାକୁ ପଡ଼ିଛି। ପଶ୍ଚିମବଙ୍ଗ ସରକାର ନୂଆ ନିୟମ ଆଣି ଧନକର୍‌ଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ହଟାଇଦେଇଛନ୍ତି।

ଏଭଳି ସେହିଦିନ ହିଁ ଘଟିଛି ଯେଉଁଦିନ ସଂସଦରେ ଟିଏମ୍‌ସି ସାସଂଦମାନେ ଧନକର୍‌ଙ୍କୁ ହଟାଇବାକୁ ହଙ୍ଗାମା କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି। କେବଳ ବିଶ୍ୱ ଭାରତୀ ଏବଂ ସେଣ୍ଟ୍ରାଲ ୟୁନିଭର୍ସିଟିରେ ନିୟମ ଅନୁଯାୟୀ ଏଗୁଡ଼ିକରେ ଧନକର୍‌ କୁଳାଧିପତି ନୁହନ୍ତି। ଗତ ଜୁଲାଇ ୩୦ରେ ଧନକର୍‌ ଦାୟିତ୍ୱ ନେବା ପରଠାରୁ ହିଁ ସ୍ଥାନୀୟ ସରକାର ସହ ରାଜ୍ୟପାଳଙ୍କ ତୁ ତୁ ମେଁ ମେଁ ଚାଲୁ ରହିଛି। ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧନକର୍‌ଙ୍କୁ ‘କେନ୍ଦ୍ରର ଏଜେଣ୍ଟ’ କହିବାକୁ ମଧ୍ୟ ପଛାଇନଥିଲେ।

ତେବେ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଏପରି ନିଷ୍ପତ୍ତି ନିଆଯାଇ ଧନକର୍‌ଙ୍କଠାରୁ ପଦବୀ ଛଡ଼ାଇନିଆଯିବା ସହ ତାଙ୍କ କ୍ଷମତାରେ କାଣ୍ଟ ଛାଣ୍ଟ କରାଯାଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏକ ବିଜ୍ଞପ୍ତି ଜାରି କରି କୁଳପତି ବାଛିବାରେ କୁଳାଧିପତିଙ୍କ ଭୂମିକା ମଧ୍ୟ ହ୍ରାସ କରିଛନ୍ତି। ବିଶ୍ୱବିଦ୍ୟାଳୟର ଉଚ୍ଚପଦସ୍ଥଙ୍କ ବୈଠକ ଡାକିବା କ୍ଷମତା ମଧ୍ୟ ଆଉ ନାହିଁ। ଏପରିକି ସେ କୁଳପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟପାଳ ନିଜେ ସାମ୍ବିଧାନିକ ମୁଖ୍ୟ ହୋଇଥିବାରୁ ତାଙ୍କ ନାମରେ ଏହି ବିଜ୍ଞପ୍ତି ଜାରି ହୋଇଛି।