ରାଜ୍ୟପାଳଙ୍କୁ ହେଲିକପ୍ଟର ବ୍ୟବହାର କରିବାକୁ ଦେଲେନି ମମତା ସରକାର, ସଡ଼କ ପଥରେ ୬୦୦ କିମି ଯାତ୍ରା କରିବେ

କୋଲକାତା: ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନଖର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତତା ଏବେ ଉଗ୍ର ରୂପ ଧାରଣ କରିଛି। ରାଜ୍ୟପାଳ ଜଗଦୀପ କୋଲକାତାରୁ ସୀମାନ୍ତ ମୁର୍ଶିଦାବାଦ ଯିବାକୁ ଚାହୁଁଥିଲେ ହେଁ ମମତା ସରକାର ତାଙ୍କୁ ହେଲିକପ୍ଟର ବ୍ୟବହାର କରିବାକୁ ଅନୁମତି ଦେଇ ନାହାନ୍ତି।

ମମତା ସରକାର ହେଲିକପ୍ଟର ବ୍ୟବହାର କରିବାକୁ  ଅନୁମତି ନ ଦେବାରୁ ରାଜ୍ୟପାଳ ଦୀର୍ଘ ୬୦୦ କିମି ସଡ଼କ ପଥରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଫେସର ସୟଦ ନୁରୁଲ ହାସନ କଲେଜର ସିଲଭର ଜୁବଲୀ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜ୍ୟପାଳଙ୍କ ପାଖକୁ ନିମନ୍ତ୍ରଣପତ୍ର ଆସିଥିଲା। ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ ସେ ରାଜ୍ୟ ସରକାରଙ୍କ ପାଖରୁ ହେଲିକପ୍ଟର ଆଣିବା ପାଇଁ ଅନୁରୋଧ ପତ୍ର ପଠାଇଥିଲେ। ତେବେ ଏହାକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଦେଇଥିବା ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଏହି ଅନୁରୋଧର ଜବାବ ନ ଦେବାରୁ ରାଜ ଭବନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ମଧ୍ୟ ପତ୍ର ଲେଖାଯାଇଥିଲା। ଆସନ୍ତାକାଲି କାର୍ଯ୍ୟକ୍ରମ ଥିଲେ ହେଁ ଏଯାଏ ହେଲିକପ୍ଟର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇ ନାହାନ୍ତି।

ତେଣୁ ରାଜ୍ୟପାଳ ଜଗଦୀପ ତାଙ୍କ ପତ୍ନୀଙ୍କ ସହ ସଡ଼କ ପଥରେ ୬୦୦ କିମି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବା ରାଜଭବନ ପକ୍ଷରୁ କୁହାଯାଇଛି।

ମମତାଙ୍କ ସରକାରେ ମନ୍ତ୍ରୀ ଥିବା ଚନ୍ଦ୍ରିମେ ଭଟ୍ଟଚାର୍ଯ୍ୟ କହିଛନ୍ତି, “ ବେଙ୍ଗଲରେ ବାତ୍ୟା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆକାଶ ମାର୍ଗରୁ ଏହାର ତର୍ଜମା କରୁଛନ୍ତି। ରାଜ୍ୟପାଳ କ’ଣ ପାଇଁ ହେଲିକପ୍ଟର ନେବାକୁ ଚାହୁଁଛନ୍ତି, ସେକଥା ମଧ୍ୟ କହିନାହାନ୍ତି।”