ମାଆ ନୁହେଁ ରାକ୍ଷସୀ: ଝିଅକୁ ଛାତରୁ ଫିଙ୍ଗିଦେଲା, ତଥାପି ନ ମରିବାରୁ ଆଉଥରେ ଫିଙ୍ଗିଲା

ବାଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର): ମାଆକୋଳ ପିଲା ପାଇଁ ସବୁଠି ସୁରକ୍ଷିତ ସ୍ଥାନ। ମାଆର ପଣତକାନି ପିଲାକୁ ସବୁ ବିପଦରୁ ରକ୍ଷା କରିଥାଏ। ମାଆ ପାଖରେ ଥିବା ବେଳେ କୌଣସି ବିପଦ ପିଲାଙ୍କ ପାଖ ମାଡି ନଥାଏ। କାରଣ ନିଜ ଜୀବନକୁ ବାଜି ଲଗାଇ ମାଆ ପିଲାକୁ ରକ୍ଷା କରିଥାଏ। ହେଲେ ଏଠାରେ ଆମେ ଯେଉଁ ମାଆ କଥା କହିବାକୁ ଯାଉଛୁ ସେ ନିଜ ପିଲା ପାଇଁ ପାଲଟି ଯାଇଥିଲା ରାକ୍ଷସୀ। ନିଜ ପିଲାକୁ ଛାତରୁ ଦୁଇଥର ଫିଙ୍ଗି ହତ୍ୟା କରିଛି ଏହି ମାଆ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ବେଙ୍ଗାଲୁରରେ।

ଅଭିଯୋଗ ଅନୁସାରେ ସ୍ୱାତୀ ସରକାର ଦକ୍ଷିଣ ବେଙ୍ଗାଲୁରୁରେ ଝିଅ ଆଶିକା ସହ ରୁହନ୍ତି। ସ୍ୱାତୀ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ। ହେଲେ ଏବେ ସେମାନେ ଅଲଗା ଅଲଗା ରହୁଛନ୍ତି। ଗତ ରବିବାର ଅପରାହ୍ନରେ କୌଣସି କାରଣକୁ ନେଇ ସ୍ୱାତୀ ରାଗି ଯାଇଥିଲେ। ତାଙ୍କର ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା। ସବୁ ହିତାହତ ଜ୍ଞାନ ଭୁଲି ଯାଇଥିଲେ ସ୍ୱାତୀ। ଏହି ସମୟରେ ହାବୁଡରେ ପଡି ଯାଇଥିଲେ ୯ ବର୍ଷର ଝିଅ ଆଶିକା। କିଛି ଜାଣିବା ପୂର୍ବରୁ ଝିଅକୁ ଛାତ ପରକୁ ନେଇ ତଳକୁ ଫିଙ୍ଗି ଦେଇଥିଲେ। ହେଲେ ଆଶିକା ବଞ୍ଚି ଯାଇଥିଲେ। ଏହାପରେ ସତେ ଯେମିତି ରାକ୍ଷସୀ ପାଲଟି ଯାଇଥିଲେ ସ୍ୱାତୀ। ତଳକୁ ଆସି ଗୁରୁତର ଆହତ ଆଶିକାକୁ ଘୋଷାଡି ଘୋଷାଡି ପୁଣି ତରେ ଛାତ ଉପରକୁ ନେଇ ଫିଙ୍ଗି ଦେଇଥିଲେ। ଏଥର ଆଉ ଆଶିକାକୁ ଦଇବ ସହାୟ ହୋଇ ନଥିଲା। ନିମିଷକରେ ଉଡିଯାଇଥିଲା ତା’ର ପ୍ରାଣବାୟୁ।

ସିସିଟିଭି ଫୁଟେଜରୁ ଏହି ବିଭତ୍ସ ହତ୍ୟା ସମ୍ପର୍କରେ ଜଣାପଡିବା ପରେ ପୋଲିସ ସ୍ୱାତୀକୁ ଗିରଫ କରିଛି।