ମକ୍କା: ଭାଙ୍ଗି ପଡିଲା କ୍ରେନ୍,୨ ଭାରତୀୟଙ୍କ ସମେତ ୧୦୭ ମୃତ,୨୩୮ ଗୁରୁତର

craneନୂଆଦିଲ୍ଲୀ: ସାଉଦୀ ଆରବରେ ଥିବା ପ୍ରସିଦ୍ଧ ମକ୍କା ମସଜିଦ୍ ନିକଟରେ ଏକ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା କ୍ରେନ୍ ଭାଙ୍ଗିପଡିବାରୁ ୨ ଭାରତୀୟଙ୍କ ସମେତ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୩୮ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଜେଧା ସହରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏହି ଦୁର୍ଘଟଣାରେ ୨ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ  ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବଳ ଝଡ ତୋଫାନ୍ ହେବାରୁ କ୍ରେନ୍ ଭାଙ୍ଗିପଡିଥିବା ସାଉଦୀ ଆରବ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଓ ଝଡ ତଫାନ୍ ଲାଗି ରହିଥିବାରୁ  ମୁସଲମାନ ସମ୍ପ୍ରଦାୟଙ୍କ ପ୍ରସିଦ୍ଧ ଧର୍ମସ୍ଥଳ ମକ୍କାରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ପ୍ରଶାସନ, ସେନା ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।