ଦଳିତ ସଙ୍ଗଠନର ଭାରତ ବନ୍ଦ: ବିଭିନ୍ନ ସ୍ଥାନରେ ହିଂସା, ଜାଣନ୍ତୁ ଆନ୍ଦୋଳନ ପଛର କାରଣ କ’ଣ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନ ଜାତି ଅଧିନିୟମକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ରାଜ୍ୟର ଦଳିତ ସଙ୍ଗଠନ ପକ୍ଷରୁ ହୋଇଥିବା ବନ୍ଦ ପାଳନ ହିଂସାକାଣ୍ଡର ରୂପ ନେଇଛି। ଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହେବା ସହ ଜୋର ଜବରଦସ୍ତ ଭାବେ ଦୋକାନ ବଜାର ବନ୍ଦ କରାଯାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ତୁମୁଳକାଣ୍ଡ ଘଟାଇଛନ୍ତି। ମଧ୍ୟପ୍ରଦେଶ, ଗ୍ୱାଲିୟରରେ ଗୁଳିମାଡ଼ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ। ମିରଟରେ ପୋଲିସ ଉପରକୁ ପଥର ମାଡ଼ କରାଯାଇଛି। ରାଜସ୍ଥାନ ଜୟପୁରରେ ବନ୍ଦର ବ୍ୟାପକ ପ୍ରଭାବ ପଡ଼ିଛି। ଭୋପାଳରେ ରେଳ ଟ୍ରାକ୍‌କୁ ତାଡି ଦେଇଛନ୍ତି ବିକ୍ଷୋଭାକାରୀ।

ପଞ୍ଜାବରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିକି ମୋବାଇଲ ସେବାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ୨୦ ମାର୍ଚ୍ଚ ରେ ଅନୁସୂଚିତ ଜାତି ଓ  ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଅଧିନିୟମ ୧୯୮୯ ଅନୁସାରେ ଅପରାଧିକ ମାମଲାରେ ତୁରନ୍ତ ଗିରଫ କରିବା ଓ ମାମଲା ପଞ୍ଜିକରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଦେଶର ଅଳ୍ପ ସଂଖ୍ୟକ ସମୁଦାୟଙ୍କ ପ୍ରତି ହେଉଥିବା ଭେଦଭାବ ରୋକିବାକୁ ଏକ ଆଇନ୍‌ ବ୍ୟବସ୍ଥା କରାଯାଇଥିଲା। ଗିରଫ୍‌ କରିବା ପୂର୍ବରୁ ଅଭିଯୁକ୍ତର ଯାଞ୍ଚ କରିବା ନିହାତି ଆବଶ୍ୟକ। ଗିରଫ କରିବା ପୂର୍ବରୁ ବେଲ୍‌ ଦିଆଯାଇପାରେ।

କୋର୍ଟ କହିଥିଲେ ଯଦି ଅଭିଯୁକ୍ତ ଜଣେ ସାର୍ବଜନିକ କର୍ମଚାରୀ ହୋଇଥିବେ ତେବେ ନିଯୁକ୍ତି ଅଧିକାରୀ ଙ୍କ ଲିଖିତ ଅନୁମତି ବିନା କିମ୍ବା ଯଦି ବ୍ୟକ୍ତି ସାର୍ବଜନିକ କର୍ମଚାରୀ ହୋଇ ନ ଥିବେ ତା’ହେଲେ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କ ଲିଖିତ ଅନୁମତିଙ୍କ ବିନା ବ୍ୟକ୍ତିଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଅନୁମତି ପାଇଁ ମଧ୍ୟ କାରଣ ଦର୍ଶାଇବାକୁ ପଡ଼ିବ।  ଏବଂ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଓ ସମ୍ପୃକ୍ତ ଅଦାଲତରେ  ହାଜର କରାଇବାକୁ ପଡ଼ିବ। ଯଦି ଦର୍ଶାଯାଇଥିବା କାରଣ ସଠିକ୍‌ ହୋଇଥାଏ ତା’ହେଲେ ବ୍ୟକ୍ତିଙ୍କୁ ଜେଲ୍‌ରେ ରଖାଯାଇପାରିବ। ଏହି ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ କୋର୍ଟ ଅବମାନନା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଥିଲେ। ହେଲେ ଏବେ ସେହି ସିଡ୍ୟୁଲ କାଷ୍ଟ ଏବଂ ସିଡ୍ୟୁଲ ଟ୍ରାଇବ୍‌ (ପ୍ରିଭେନସନ୍‌ ଅଫ ଆଟ୍ରୋସିଟିଜ୍‌) ଆକ୍ଟର ସଂଶୋଧନ ନେଇ ସୁପ୍ରିମକୋର୍ଟ ପ୍ରସ୍ତାବ ଦେବା ପରେ ଏହାକୁ ଦେଶ ବ୍ୟାପି ୧୧ଟି ଦଳିତ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି।