ଭାରତ ବନ୍ଦର ପ୍ରଭାବ: ଠପ୍‌ ହେଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ: ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ କରାଯାଇଛି। ବିଶେଷକରି ଉତ୍ତର ଭାରତରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ସେହିଭଳି ବିହାରର ଆରାରେ ସପକ୍ଷ ଓ ବିପକ୍ଷବାଦୀମାନଙ୍କ ମଧ୍ୟରେ ପଥର ପିଙ୍ଗାଫିଙ୍ଗି ହୋଇ ୧୨ ଜଣ ଆହତ ହୋଇଛନ୍ତି। ଦେଶରେ ବିଭିନ୍ନ ରାଜ୍ୟରେ ରାସ୍ତା ଓ ରେଳ ରୋକ କରାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଥିଲା।

ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାସ୍ତା ବନ୍ଦ କରିବା ସହ ରେଳ ରୋକ କରାଯାଇଛି। ବିହାର ଆରାରେ ସ୍ଥିତି ଗମ୍ବୀର ହେବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିମାଡ଼ କରିଛି। ଏଥିସହିତ ସହରରେ ଅତିରିକ୍ତ ସୁରକ୍ଷାକର୍ମୀମାନଙ୍କୁ ମୁତୟନ କରାଯାଇଛି। ମଧ୍ୟପ୍ରଦେଶରେ ବି ବନ୍ଦର ପ୍ରଭାବ ସ୍ପଷ୍ଟ ଅନୁଭୂତ ହୋଇଛି। ସେଠାରେ ସରକାର ଆଗୁଆ ସତର୍କତା ଅବଲମ୍ବନ କରି କର୍ଫ୍ୟୁ ଜାରି କରିଥିଲେ। ଫଳରେ ଆଜି ସେଠାରେ ଜନଜୀବନ ପ୍ରଭାବିତ ହୋଇଥିଲା।

ଉତ୍ତର ପ୍ରଦେଶର ସହାରନପୁର, ମୁଜାଫରନଗର, ଶାମିଲି ଓ ହାପୁଡ଼ରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ସେହିପରି ରାଜ୍ୟର ଫିରୋଜାବାଦ ଜିଲ୍ଲାରେ ସମସ୍ତ ସ୍କୁଲ ଆଜି ବନ୍ଦ ରଖାଯାଇଥିଲା। ରାଜସ୍ଥାନର ଜୟପୁର ଓ ଉତ୍ତରାଖଣ୍ଡ ନୈନିତାଲରେ ୧୪୪ ଧାରା ଜାରି କରିବା ସହିତ ଜୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଓଡ଼ିଶାର ନୂଆପଡ଼ା ଜିଲ୍ଲା ଖରିଆରରେ ମଧ୍ୟ ବିପକ୍ଷବାଦୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଢେଲାମାଡ଼ କରାଯାଇଥିଲା।

ଏସ୍‌ସି, ଏସ୍‌ଟି ଅତ୍ୟାଚାର ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ୨ ତାରିଖରେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଥିଲା। ଏଥିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ଏହା ପ୍ରତିବାଦରେ ଓ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ସୋସିଆଲ୍ ମିଡିଆରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ତେବେ ବନ୍ଦକୁ କୌଣସି ବଡ଼ ରାଜନୈତିକ ଦଳ ସମର୍ଥନ କରି ନାହାଁନ୍ତି।