ଆଜି ରୁଷ-ଭାରତ ଶିଖର ସମ୍ମିଳନୀ: ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି ଏବଂ ପୁଟିନ୍

ନୂଆଦିଲ୍ଲୀ: ଭାରତ ଓ ରୁଷ ୧୬ତମ ଶିଖର ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନଙ୍କ ସହ ଯୋଗଦେବ। ଏହି ସମ୍ମିଳନୀରେ ପ୍ରତିରକ୍ଷା, ଆତଙ୍କବାଦ ସହ ପରମାଣୁ ଶକ୍ତି, ହାଇଡ୍ରୋକାର୍ବନ ଓ ବାଣିଜ୍ୟିକ କାରବାର ଆଦି ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି।

ଦୁଇ ଦିନିଆ ରୁଷ ଗସ୍ତରେ ଯାଇଥିବା ମୋଦି ଗତକାଲି ସନ୍ଧ୍ୟାରେ ମସ୍କୋରେ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା। ପରେ କ୍ରେମଲିନରେ ଉଭୟ ମୋଦି ଓ ରାଷ୍ଟ୍ରପତି ପୁଟିନ ଏକ ଆଲୋଚନାରେ ଭାଗ ନେଇଥିଲେ। ଏହାପରେ ରୁଷ୍ ଗସ୍ତକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ମୋଦି କହିଥିଲେ।

ଦୁଇଦିନିଆ ରୁଷ ଗସ୍ତରେ ଥିବା ମୋଦିଙ୍କୁ ରାଷ୍ଟ୍ରପତି ପୁଟିନ ଡିନର ପାର୍ଟିରେ ଆପ୍ୟାୟିତ କରିବେ। ମୋଦି ରୁଷରେ ଫ୍ରେଣ୍ଡସ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ୩ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ରୁଷର ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।