ରାବଣକୁ ଦଳିତଙ୍କ ଆଦର୍ଶ କହି ପ୍ରତିକୃତି ପୋଡ଼ିକୁ ଭୀମ୍‌ ଆର୍ମିର ବିରୋଧ

ପୁଣେ (ଓଡ଼ିଶା ରିପୋର୍ଟର): ଦଶହରାରେ ରାବଣ ପୋଡ଼ି କାହିଁ କେଉଁ ଆବହମାନ କାଳରୁ ରହିଆସିଛି। ଏହି ଅବସରରେ ରାବଣର ପ୍ରତିକୃତି ମନୁଷ୍ୟ ଭିତରେ ରହିଥିବା ଏବଂ ସଂସାରର ସମସ୍ତ ନକାରାତ୍ମକ ଶକ୍ତିକୁ ପୋଡ଼ି ଭସ୍ମ କରିଥାଏ ବୋଲି କୁହାଯାଏ। ଏପରିକି ଓଡ଼ିଶାର କିଛି ସ୍ଥାନରେ ରାମନବମୀ ସମୟରେ ଲଙ୍କାପୋଡ଼ିର ପ୍ରଥା ସମଗ୍ର ଭାରତରେ ଖ୍ୟାତ।

କିନ୍ତୁ ଭୀମ୍‌ ଆର୍ମିର କିଛି ସଦସ୍ୟ ଏକ ଅଜବ ଅଭିଯୋଗ ଆଣି କହିଛନ୍ତି, ରାବଣ ପୋଡ଼ିର ପରମ୍ପରା ଠିକ୍ ନୁହେଁ। ରାବଣକୁ ସେମାନେ ଦଳିତ ଓ ପଛୁଆ ବର୍ଗର ଆଦର୍ଶ ବୋଲି ଦର୍ଶାଇଛନ୍ତି। ଭୀମ୍‌ ଆର୍ମିର ପୁଣେ ୟୁନିଟ୍‌ ଏନେଇ ସରକାରୀ କାର୍ଯ୍ୟାଳୟ ଏବଂ ଥାନାମାନଙ୍କରେ ଦାବି ଉପସ୍ଥାପନ କରିଛନ୍ତି ଯେ, ରାବଣ ପ୍ରତିକୃତି ପୋଡ଼ୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ନିଆଯାଉ।

ପୁଣେ ସିଟି ପୁଲିସ୍‌କୁ ଏକ ଚିଠି ଲେଖି ସେମାନେ ଦାବି କରିଛନ୍ତି ଏହା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗଙ୍କୁ କଷ୍ଟ ଦେଉଥିବାରୁ ‘ରାବଣ ପୋଡ଼ି’କୁ ଅନୁମତି ନ ଦିଆଯାଉ। ଯେଉଁମାନେ ବି ପୋଡ଼ିବେ ସେମାନଙ୍କ ବିରୋଧରେ ‘ପ୍ରିଭେନ୍‌ସନ୍‌ ଅଫ୍‌ ଆଟ୍ରୋସିଟିଜ୍ ଆକ୍ଟ’ ବା ‘ଦଳିତ ନିରୋଧୀ ଆଇନ୍’ ଅନୁଯାୟୀ ମାମଲା ଦାୟର କରିବାକୁ ସେମାନେ ଦାବି କରିଛନ୍ତି। ପୁଲିସ୍ ପଦକ୍ଷେପ ନନେଲେ ସେମାନେ ରାସ୍ତାକୁ ଓହ୍ଲାଇ ବିରୋଧ କରିବେ ବୋଲି ଧମକ ଦେଇଛନ୍ତି।

୨୦୧୭ ମସିହା ଜୁଲାଇ ମାସରେ ଏନେଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା ଯାହାକି ଖାରଜ ହୋଇଯାଇଥିଲା। ପୂର୍ବରୁ ମହାରାଷ୍ଟ୍ରର ଗଡ଼ଚିରୋଲି ଅଞ୍ଚଳରେ ଏହି ପ୍ରଥାକୁ ବିରୋଧ କରି ନିଷିଦ୍ଧ ଘୋଷିତ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ –ମାଓଇଷ୍ଟ ପକ୍ଷରୁ ପୋଷ୍ଟର ଜାରି କରାଯାଇଥିଲା। ଆଉ ଲେଖାଯାଇଥିଲା, ‘ରାକ୍ଷସ ନାଁରେ ରାବଣଙ୍କୁ ଜଳାଇବା ବନ୍ଦ କର।’