କ’ଣ ହୋଇଥିଲା? ଭିଡିଓ କଲିଂ ବେଳେ ମୁଣ୍ଡକୁ ଗୁଳି କରି ଦେଲେ ଯୁବତୀ

ଭୋପାଲ୍‌:  ଭିଡିଓ କଲିଂରେ ସାଙ୍ଗ ସହିତ କଥା ହେଉଥିଲେ। ହଠାତ୍ ନିଜ ମୁଣ୍ଡକୁ ଗୁଳି କରି ଦେଲେ। ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ଘଟଣାଟି ମଧ୍ୟପ୍ରଦେଶରର ଗ୍ୱାଲିଅରରେ ଘଟିଛି। ମୃତ ଯୁବତୀଙ୍କ ନାଁ କରିସ୍ମା ଯାଦବ। ତାଙ୍କୁ ୨୧ ବର୍ଷ ହୋଇଥିଲା।

ଏ ଘଟଣା ବେଳେ ଯୁବତୀଙ୍କ ଘରେ ଆଉ କେହି ନଥିଲେ। ତାଙ୍କ ଭାଇ ବଜାର ଯାଇଥିଲେ। ଫେରିଲା ପରେ ଦେଖିଲେ ଭଉଣୀ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ମୁତାବକ ବାପାଙ୍କ ରିଭଲ୍‌ଭର୍‌ରେ ଖେଳୁ ଖେଳୁ ସେ ନିଜକୁ ଗୁଳି କରି ଦେଇଥିଲେ।

କରିସ୍ମାଙ୍କ ବାପା ସେନାରେ ସୁବେଦାର ଥିଲେ। ଏ ଘଟଣା ଘଟିବା ବେଳେ ସେ ସହର ବାହାରେ ଥିଲେ।

କରିସ୍ମାଙ୍କ ସହିତ ଭିଡିଓ କଲିଂରେ ଯେଉଁ ସାଙ୍ଗ ଥିଲେ, ସେ କହିଛନ୍ତି,“କରିସ୍ମା କଥା ହେଉଥିବା ବେଳେ ମୁଣ୍ଡ ଉପରେ ରିଭଲ୍‌ଭର ରଖି କହିଥିଲେ ଯେ ସେ ତାଙ୍କ ଭାଗ୍ୟ ପରୀକ୍ଷା କରିବା ପାଇଁ ଯାଉଛନ୍ତି। ତା’ପରେ ଇଣ୍ଟରନେଟ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତା’ପରେ କ’ଣ ହେଲା ମୁଁ ଜାଣିପାରିଲିନି।”

ପୁଲିସ୍ ଘଟଣାର ତଦନ୍ତ କରୁଛି।