୧.୨୫ କୋଟି ଟଙ୍କାର ବିଦେଶୀ ମଦ ଉପରେ ଚାଲିଲା ରୋଲର: କେଉଁଠି, କାହିଁକି ପଢନ୍ତୁ ରିପୋର୍ଟ

ପାଟଣା: ୫୦୦ ନୁହେଁ କି ୧୦୦୦ ନୁହେଁ ୧ କୋଟି ୨୫ ଲକ୍ଷ ଟଙ୍କାର ବିଦେଶୀ ମଦ ଉପରେ ଚଢିଗଲା ରୋଡ ରୋଲର। କୌଣସି ଦୁର୍ଘଟଣାରେ ଏମିତି ଘଟିନାହିଁ। ବିହାରର ପାଟନା ପ୍ରଶାସନ ଏପରି କରିଛି। ପାଟନା ଜିଲ୍ଲାପାଳ ସଞ୍ଜୟ ଅଗ୍ରୱାଲଙ୍କ ଉପସ୍ଥିତିରେ ୩୦,୦୦୦ ବିଦେଶୀ ମଦ ବୋତଲ ଉପରେ ରୋଲର ଚଢାଯାଇ ନଷ୍ଟ କରାଯାଇଛି।

ବିହାରରେ ମଦ ବନ୍ଦ ହେବା ପରେ ପାଟନାର ବିଭିନ୍ନ ଥାନା ଅଞ୍ଚଳରୁ ଏହି ମଦ ଜବତ କରାଯାଇଥିଲା। ଏହି ମାମଲାରେ କୋର୍ଟରେ ଶୁଣାଣି ହୋଇଥିଲା। ଜବତ ମଦକୁ ନଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଆଧାର କରି ଆଜି ୧.୨୫ କୋଟି ଟଙ୍କାର ମଦକୁ ରାସ୍ତାରେ ରଖାଯାଇ ତା’ ଉପରେ ରୋଲର ଚଢାଇ ନଷ୍ଟ କରି ଦିଆଯାଇଛି।

ସଞ୍ଜୟ କହିଛନ୍ତି,“ହରିୟାଣା ଓ ଝାରଖଣ୍ଡ ଦେଇ ଏହି ମଦ ବିହାରକୁ ଅଣାଯାଇଥିଲା। ଏହାକୁ ବିଭିନ୍ନ ସ୍ଥାନକୁ ପଠାଯିବାକୁ ଥିଲା। ହେଲେ ଏହା ପୂର୍ବରୁ ଚଢାଉ କରାଯାଇ ଏହାକୁ ଜବତ କରାଯାଇଥିଲା। ଆଗାମୀ ଦିନରେ ଏପରି ମଦ ନଷ୍ଟ ପ୍ରକ୍ରିୟା ଜାରି ରହିବ।”