ବିହାରରେ ବିଜେପି ହାରିଲେ ପାକିସ୍ତାନରେ ଫୁଟିବ ବାଣ: ଅମିତ ଶାହ

ପାଟନା: ବିଜେପି ବିହାର ବିଧାନସଭା ନିର୍ବାଚନ ହାରିଗଲେ ପାକିସ୍ତାନରେ ବାଣ ଫୁଟିବ ବୋଲି କହିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆଜି ବିହାରର ରାକ୍ସାଉଲରେ ଏକ ନିର୍ବାଚନୀ ରାଲି ବେଳେ ସେ ଏହି କଥା କହିଛନ୍ତି।

ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ ଅମିତ କହିଥିଲେ ଯେ ଆପଣମାନେ କ’ଣ ଚାହୁଁଛନ୍ତି ବିହାରକୁ ଜଙ୍ଗଲ ରାଜ-୨ ଫେରୁ। ଯଦି ଭୁଲ୍ ବଶତଃ ବିଜେପି ନେତୃତ୍ୱାଧୀନ ଏନଡିଏ ଏହି ନିର୍ବାଚନ ହାରିଯାଏ ତା’ହେଲେ ପାକିସ୍ତାନରେ ଲୋକେ ବାଣ ଫୁଟାଇବେ। ଆପଣମାନେ କ’ଣ ଚାହୁଁଛନ୍ତି ପାକିସ୍ତାନରେ ବାଣ ଫୁଟୁ?

ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ଜେଡିୟୁ, ଆରଜେଡି ଓ କଂଗ୍ରେସ ମେଣ୍ଟ ନିର୍ବାଚନ ଜିତିବ ତା’ହେଲେ ଜେଲରେ ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ ଭଳି ଗ୍ୟାଙ୍ଗଷ୍ଟାରମାନେ ବାଣ ଫୁଟାଇବେ। ଶାହାବୁଦ୍ଦିନ ଆରଜେଡିର ନେତା ମଧ୍ୟ।

ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ଜିତିବ ବୋଲି ପ୍ରାରମ୍ଭରେ ବିଭିନ୍ନ ଜନମତ ସର୍ଭେଗୁଡ଼ିକ କହିଥିଲେ। ତେବେ ଏବେ ଆସୁଥିବା ସର୍ଭେ ରିପୋର୍ଟଗୁଡ଼ିକ କହୁଛନ୍ତି ଯେ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ କଡ଼ା ଟକ୍କର ଦେଉଛି ଜେଡିୟୁ, ଆରଜେଡି ଓ କଂଗ୍ରେସର ମହାମେଣ୍ଟ।