ବିହାରରେ ଏଇଏସ ରୋଗ ବେକାବୁ: ବରିଷ୍ଠ ଡାକ୍ତର ସସପେଣ୍ଡ୍

ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇଥିବା ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍(ଏଇଏସ) ଜ୍ୱରରେ ୧୩୫ରୁ ଅଧିକ ଛୋଟ ଛୁଆଙ୍କର ମୃତ୍ୟୁ ହେଲାଣି। ତେବେ ନିଜ ସରକାରଙ୍କ ଭାବମୂର୍ତ୍ତି ଉପରେ ଲାଗିଥିବା ଦାଗ ଲିଭାଇବାକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରନଗର ଜିଲ୍ଲା ସ୍ଥିତ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତର ଭୀମସେନ୍ ଗୁପ୍ତାଙ୍କୁ ନିଲମ୍ୱିତ କରିଛନ୍ତି। ଡାକ୍ତର ଭୀମସେନ ତାଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ମୁଜାଫରନଗର ଜିଲ୍ଲାରେ ଏଇଏସ ରୋଗ ବେକାବୁ ହେବା ପରେ ୧୯ ତାରିଖରେ ଡାକ୍ତର ଭୀମସେନଙ୍କୁ ଶ୍ରୀକୃଷ୍ଣା ମେଡିକାଲ ହସ୍ପିଟାଲରେ ନିୟୋଜିତ କରିଥିଲା ବିହାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ। ହେଲେ ଏହାପରେ ଏଇଏସ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ବିହାର ୧୬ଟି ଜିଲ୍ଲା ଏବେ ଏଇଏସ ରୋଗର ଶିକାର ହୋଇଛି। ୧୩୫ରୁ ଅଧିକ ଛୋଟ ଛୁଆଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି। ଏବେ ୬୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର  ସୂଚନା ରହିଛି।