ବିହାରରେ ବନ୍ୟା ସ୍ଥିତି ଅସମ୍ଭାଳ, କିନ୍ତୁ ଉପମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ‘ସୁପର-୩୦’

ପାଟନା: ବିହାରରେ ଲଗାଣ ବର୍ଷା ଯୋଗୁ ବର୍ତ୍ତମାନ ସ୍ଥିତି ଅସମ୍ଭାଳ ହେଲାଣି। ବନ୍ୟା ଯୋଗୁ ପାଣି ଘେରରେ ରହିଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବନ୍ୟା ଯୋଗୁ ରାଜ୍ୟରେ ଏଯାଏ ୬୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଫିଲ୍ମ ଦେଖିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଯେଉଁ ସମୟରେ ମୋଦି ଲୋକଙ୍କ ପାଖରେ ରହିବା କଥା, ସେ ସମୟରେ ସେ ବଲିଉଡ୍‌ ଫିଲ୍ମ ‘ସୁପର-୩୦’ ଦେଖିବାରେ ବ୍ୟସ୍ତ ରହିଛନ୍ତି।

ସୋଶାଲ ମିଡିଆରେ ସୁଶୀଲ ମୋଦି ଫିଲ୍ମ ଦେଖୁଥିବା ବେଳର ଫଟୋ ଭାଇରାଲ ହେବାରେ ଲାଗିଛି। ମୋଦିଙ୍କ ଏଭଳି ଆଚରଣକୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି।

ହ୍ରିତିକ ରୋଶନଙ୍କ ଅଭିନୀତ ‘ସୁପର-୩୦’କୁ ବିହାର ସରକାର ରାଜ୍ୟରେ ଟିକସ ମୁକ୍ତ କରିଛନ୍ତି। ଏଥିପାଇଁ ହ୍ରିତିକ ରୋଶନ ଓ ଫିଲ୍ମର ଅନ୍ୟ ସଦସ୍ୟମାନେ ସୁଶୀଲ ମୋଦିଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇବାକୁ ଆସିଥିଲେ। ଏହାର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଆରଜେଡି ଏହାକୁ ‘ନିର୍ଲଜ’ ବୋଲି କହିଛି। ଦଳ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ବିହାରର ପୂରା ମନ୍ତ୍ରିମଣ୍ଡଳ ବୁଧବାର ସୁଶୀଲ ମୋଦିଙ୍କ ନେତୃତ୍ୱରେ ମଲ୍ଟିପ୍ଲେକ୍ସରେ ମାଗଣା ଡିନର୍ ସହ ସୁପର-୩୦ର ମଜା ଉଠାଇଛନ୍ତି।

ବିହାରରେ ବନ୍ୟା ଆସିଲେ ମନ୍ତ୍ରୀମାନେ କ’ଣ ଖାଇବା, ପିଇବା ଛାଡ଼ି ଦେବେ? ନିର୍ଲଜ କୋଉଠିକାର।”