ବିହାର ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ: ୫୫ଟି ଆସନ ପାଇଁ ଚାଲିଛି ମତଦାନ

ପାଟଣା: ବିହାର ବିଧାନସଭା ପାଇଁ  ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ରାଜ୍ୟର ୭ଟି ଜିଲ୍ଲାର ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।ଚତୁର୍ଥ ପର୍ଯ୍ୟାୟରେ ପ୍ରାୟ ଦେଢ କୋଟି ମତଦାତା ୧୩ ହଜାର ୫୩୫ଟି ପୋଲିଂ ବୁଥରେ ମତଦାନ କରିବେ। ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୭୬ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ୪୩ଟି ଆସନରେ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ତେବେ ବାକି ମାଓ ପ୍ରବଣ ୧୨ଟି ଆସନରୁ ୮ଟିରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏବଂ ୪ଟିରେ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସମ୍ୱେଦନଶୀଳ ଅଞ୍ଚଳରେ ୧ ଲକ୍ଷ ୨୦ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ବିହାର ବିଧାନସଭା ନିର୍ବାଚନ ଲାଗି ଏଥର ବିଜେପି ନେତୃତ୍ୱାଧିନ ମେଣ୍ଟ ଏବଂ କଂଗ୍ରେସ-ଜେଡିୟୁ ଓ ଆରଜେଡି ମେଣ୍ଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି।