ଏବେ ବ୍ୟକ୍ତିବିଶେଷ ବି ଆତଙ୍କୀ ଘୋଷିତ ହେବେ

ନୂଆଦିଲ୍ଲୀ: ଆମେରିକା, ଚାଇନା, ପାକିସ୍ତାନ, ଇସ୍ରାଏଲ ଓ ୟୁରୋପୀୟ ୟୁନିଅନ ଭଳି ଏବେ ଭାରତ ମଧ୍ୟ କେବଳ ସଂଗଠନ ନୁହେଁ, ଦେଶ ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇ ପାରିବ।

ଏସଂକ୍ରାନ୍ତ ଏକ ବିଲ୍‌ ଆଜି ଲୋକସଭାରେ ପାରିତ ହୋଇଛି। ବେଆଇନ୍‌ କାର୍ଯ୍ୟକଳାପ ନିରୋଧ ସଂଶୋଧନ ବିଲ୍‌ ୨୦୧୯ ସପକ୍ଷରେ ୨୮୭ଟି ଭୋଟ ପଡ଼ିଥିବା ବେଳେ ଏହା ବିରୋଧରେ ୮ଟି ଭୋଟ ଯାଇଛି। ଏକାଧିକ ଦଳର ନେତାମାନେ ଏହି ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ।

ଏହି ବିଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ, ଡିଜିପି ଓ ଏନ୍‌ଆଇଏକୁ ଅଧିକ ସଶକ୍ତ କରାଯାଇଛି। କୌଣସି ଘଟଣାର ତଦନ୍ତ ବେଳେ ତଦନ୍ତକାରୀ ସଂସ୍ଥା ଚାହିଁଲେ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ମଧ୍ୟ ଜବତ କରିପାରିବେ। ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପର ତଦନ୍ତ ପାଇଁ ଏନ୍‌ଆଇଏ ସମ୍ପୃକ୍ତ ରାଜ୍ୟ ପୁଲିସ୍‌ର ବିନା ଅନୁମତିରେ ସେଠାକୁ ଯାଇ ଛାନଭିନ୍‌ କରିପାରିବ।

ତେବେ ସମ୍ପତ୍ତି ଜବତ କରିବା ପୂର୍ବରୁ ଏନ୍‌ଆଇଏ ସଂପୃକ୍ତ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କ ଅନୁମତି ନେବ। ଏଥିସହ ଆତଙ୍କୀ କାର୍ଯ୍ୟକଳାପର ତଦନ୍ତ କେବଳ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ କିମ୍ବା ଆସିସଷ୍ଟାଣ୍ଟ କମିଶନର ଅଫ୍‌ ପୁଲିସ୍‌ ରାଙ୍କର ଅଫିରମାନେ କରିପାରିବେ।

ତେବେ ବିରୋଧୀ ଏହି ବିଲ୍‌କୁ ଆଜି ଲୋକସଭାରେ ବିରୋଧ କରିଥିଲେ। ଏଭଳି ବିଲ୍‌ ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ସେମାନେ ଅଭିଯୋଗ କରିଥିଲେ। ଏଥିସହ ଏଭଳି ଆଇନ୍‌ ଦ୍ୱାରା ସରକାର ନିଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବାର ମଧ୍ୟ ଆଶଙ୍କା ରହିଛି। ଅନେକ ସମୟରେ ସରକାରଙ୍କୁ ବିରୋଧ କରୁଥିବା ରାଜନେତାଙ୍କୁ ଦେଶଦ୍ରୋହୀ କୁହାଯାଉଛି। ତେଣୁ ଏହି ଆଇନ୍‌ ଦ୍ୱାରା ସେମାନଙ୍କ ମୁହଁରେ ତାଲା ପକାଇବାକୁ ଯୋଜନା ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।