ବିନା ଅନୁମତିରେ ସୋମନାଥ ମନ୍ଦିରକୁ ପଶି ପାରିବେନି ଅଣହିନ୍ଦୁ

ଅହମଦାବାଦ: ଗୁଜୁରାଟର ସୋମନାଥ ମନ୍ଦିରରେ ଆଉ ଅବାଧରେ ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ। ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ନେବାକୁ ପଡ଼ିବ ଅନୁମତି। ପୁଣି ଅନୁମତି ମିଳିବ କେବଳ ଦର୍ଶନ ପାଇଁ। ସୋମନାଥ ମନ୍ଦିର ଟ୍ରଷ୍ଟି ନେଇଛି ଏଭଳି ଏକ ବିବାଦୀୟ ନିଷ୍ପତ୍ତି।

ଟ୍ରଷ୍ଟି ତା’ର ଏହି ନିଷ୍ପତ୍ତିକୁ ଏକ ବୋର୍ଡରେ ଲେଖି ମନ୍ଦିରର ମୁଖ୍ୟ ଦ୍ୱାର ନିକଟରେ ଲଗାଇ ଦେଇଛି। ଏଥିରେ ଲେଖାଯାଇଛି ଯେ ଅଣହିନ୍ଦୁମାନେ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଟ୍ରଷ୍ଟିର ଜେନେରାଲ ମ୍ୟାନେଜରଙ୍କ ଠାରୁ ଅନୁମତି ନେବେ। ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ। ଜେନେରାଲ ମ୍ୟାନେଜରଙ୍କ ଠାରୁ ଅନୁମତି ମିଳିଲା ପରେ ଯାଇ ଅଣହିନ୍ଦୁମାନେ ମନ୍ଦିର ଭିତରେ ପ୍ରବେଶ କରିପାରିବେ। ଆଉ ସେମାନେ କେବଳ ଠାକୁରଙ୍କ ଦର୍ଶନ କରିପାରିବେ।

ମନ୍ଦିରର ଏହି ନୂଆ ନିୟମ ସଂପର୍କରେ ଟ୍ରଷ୍ଟିର ଜେନେରାଲ ମ୍ୟାନେଜର କହିଛନ୍ତି ଯେ ଦେଶରେ ହିନ୍ଦୁମାନଙ୍କର ଅଧିକାଂଶ ବଡ଼ ମନ୍ଦିରରେ ଏଭଳି ନିୟମ ରହିଛି। ତେଣୁ ସୋମନାଥ ମନ୍ଦିରରେ ମଧ୍ୟ ଅଣହିନ୍ଦୁଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ସେ ଆହୁରି ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ ସୋମନାଥ ମନ୍ଦିର ଉପରେ ସମସ୍ତଙ୍କ ଆସ୍ଥା ବଜାୟ ରଖିବା ପାଇଁ ଏହି ନିୟମ ଲାଗୁ କରାଯାଇଛି।