ତ୍ରିପୁରାରେ ନୂଆ ଯୁଗର ଆରମ୍ଭ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଲବ ଦେବ

ନୂଆଦିଲ୍ଲୀ: ତ୍ରିପୁରାରେ ଆରମ୍ଭ ହୋଇଛି ବିଜେପି ଯୁଗ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ବିପ୍ଲବ କୁମାର ଦେବ। ୪୮ ବର୍ଷୀୟ ବିପ୍ଲବ ଦେବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ତଥାଗତ ରଏ। ଜିଷ୍ଣୁ ଦେବ ବର୍ମନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତ୍ରିପୁରାରେ ପ୍ରଥମଥର ସରକାର ଗଠନ କରିଛି ବିଜେପି। ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ପ୍ରମୁଖ ଯୋଗ  ଦେଇଥିଲେ।

୨୦୧୬ ଜାନୁଆରୀରେ ବିପ୍ଲବ ଦେବ ତ୍ରିପୁରା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଥିଲେ।  ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇ ଜନସାଧାରଣଙ୍କ ଆସ୍ଥା ଭାଜନ କରିପାରିଥିଲେ । ସିପିଏମ୍‌ର ଗଡ଼ କୁହାଯାଉଥିବା ତ୍ରିପୁରାରେ ଟ୍ରାଇବାଲ ଏରିଆଜ୍ ଅଟୋମୋନସ୍ ଡିଷ୍ଟ୍ରିକ୍ଟ କାଉନ୍ସିଲ ଜରିଆରେ ବିପ୍ଲବ ଗ୍ରାମାଞ୍ଚଳରେ ବିଜେପି ପାଇଁ ପ୍ରଚାର କରିଥିଲେ। ତ୍ରିପୁରା ନିର୍ବାଚନରେ ୬୦ଟି ଆସନରୁ ବିଜେପି ମେଣ୍ଟ ୪୩ଟି ସିଟରେ ଜିତି ସରକାର ଗଠନ କରିଛି।