ବିଶ୍ୱର ୧୦ ବଡ଼ ଅପରାଧୀ ତାଲିକାରେ ଅଛି ମୋଦିଙ୍କ ନାଁ: ଆଜମ୍ ଖାନ୍

କାନପୁର: ବିଶ୍ୱର ୧୦ଜଣ କୁଖ୍ୟାତ ଅପରାଧୀଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ରହିଛି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ମନ୍ତ୍ରୀ ଆଜମ୍ ଖାନ।

କାନପୁରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କଲା ବେଳେ ଆଜମ ଖାନ୍ କହିଥିଲେ, ‘ଯଦି ମୋଦି ପ୍ରଧାନମନ୍ତ୍ରୀ ହୋଇପାରିବେ, ତା’ହେଲେ ମୁଁ କାହିଁକି ହୋଇପାରିବି ନାହିଁ? ଆପଣମାନେ ଗୁଗଲ୍ ସର୍ଚ୍ଚ କରି ଦେଖିଛନ୍ତି କି କେଉଁମାନେ ବିଶ୍ୱର ଶ୍ରେଷ୍ଠ ୧୦ ଅପରାଧୀ ତାଲିକାରେ ଅଛନ୍ତି? ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି ଏହି ତାଲିକାରେ।’

ଆଜମ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରହିଛି। କାରଣ ଏହି ପଦବୀ ପାଇଁ ସେ ସବୁଠୁ ଉପଯୁକ୍ତ ବ୍ୟକ୍ତି। ଠିକଣା ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ତାଙ୍କ ନାଁକୁ ଏହି ପଦ ପାଇଁ ସୁପାରିଶ କରିବେ।

ସେ କହିଥିଲେ ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେଇ ଦିଅନ୍ତି ଓ ସାଂସଦମାନେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରନ୍ତି, ତା’ହେଲେ ଏହା ସାରା ଦେଶ ପାଇଁ ଏକ ଭଲ ବାର୍ତ୍ତା ପଠାଇବ। ଆଉ ଦେଶ ପ୍ରତି ଦିନ ବିକାଶ ପଥରେ ଆଗେଇବ।

ତାଙ୍କ ନାଁ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚା ହେଉଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ‘ଉପମୁଖ୍ୟମନ୍ତ୍ରୀ ପାଇଁ ମୋ ନାଁ ଚର୍ଚ୍ଚାକୁ ଆଣି ମତେ ଉପହାସ କରାଯାଉଛି। ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ, ଆଉ ମତେ ଉପମୁଖ୍ୟମନ୍ତ୍ରୀ ପଦବୀରେ ସୀମିତ କରାଯାଉଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ନେଇ ଲଗାଯାଇଥିବା ପୋଷ୍ଟରଗୁଡ଼ିକୁ ମୁଁ କାଢ଼ି ଦେଇଛି।’