ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କ ସମ୍ପର୍କରେ ସଫେଇ ଦେଲା ବିଜେପି

ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ କରି ଜେଲରେ ଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ନିଜ ଦଳର ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳ ଗୁଡ଼ିକ ଅଭିଯୋଗ କରିଛନ୍ତି।

ତେବେ ଏହି ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ଦଳରୁ ଦୀର୍ଘଦିନ ହେଲା ନିଲମ୍ବିତ କରାଯାଇଥିବା ଆଜି ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସଫେଇ ଦେଇଛନ୍ତି। ବିଜେପିର ଉତ୍ତର ପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି, “କୁଲଦୀପ ସିଂହ ସେନଗାରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ତାଙ୍କ ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ସରକାର ଓ ଦଳ ସର୍ବଦା ଉନ୍ନାଓ ପୀଡ଼ିତାଙ୍କ ସହ ରହିଥିଲେ ଏବଂ ଆଗକୁ ମଧ୍ୟ ରହିବେ। ପୀଡ଼ିତା ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।”

କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତା ତାଙ୍କ ପରିବାର ଲୋକଙ୍କ ସହ ରବିବାର ଦିନ ଯାଉଥିବା ବେଳେ ତାଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତାଙ୍କ ଜଣେ ଖୁଡ଼ୀ ଓ ଜଣେ ମାଉସୀ ପ୍ରାଣ ହରାଇଥିଲେ। ପୀଡ଼ିତା ଗୁରୁତର ଆହତ ହୋଇ ଭେଣ୍ଟିଲେଟରରେ ରହିଛନ୍ତି।

ଏହି ଘଟଣାକୁ ନେଇ ସଂସଦ ଭିତରେ ଓ ବାହାରେ ବିରୋଧୀ ଦଳଗୁଡ଼ିକ ୟୁପି ସରକାର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି।