ପ୍ରଜ୍ଞା ଠାକୁରଙ୍କ ଠାରୁ ନିଜକୁ ଦୂରେଇ ରଖିଲା ବିଜେପି

ନୂଆଦିଲ୍ଲୀ:ବିଜେପି ଟିକେଟରେ ପ୍ରଥମଥର ପାଇଁ ସାଂସଦ ହୋଇଥିବା ପ୍ରଜ୍ଞା ସିଂହ ଠାକୁରଙ୍କ ତୁଣ୍ଡ ନେଇ ପୁଣିଥରେ ବିବାଦ ସୃଷ୍ଟି ହୋଇଛି। ପ୍ରଜ୍ଞା ନାଳ ଓ ପାଇଖାନା ସଫା କରିବାକୁ ସାଂସଦ ହୋଇ ନାହାନ୍ତି ବୋଲି କହିବା ପରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି।

ତେବେ ବିଜେପି ନିଜ ଦଳର ସାଂସଦ ପ୍ରଜ୍ଞା ଠାକୁରଙ୍କ ଠାରୁ ନିଜକୁ ଦୂରେଇ ରଖିଛି। ଏଭଳି ବୟାନକୁ ବିଜେପି ଅଗ୍ରାହ୍ୟ କରିଦେଇଛି। ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଏହାକୁ ନାପସନ୍ଦ କରିଛନ୍ତି ଏବଂ ଏଭଳି ବୟାନ ଦେବା ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପ୍ରଜ୍ଞାଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଜେପି ନଡ୍ଡା ତାଙ୍କୁ ଦିଲ୍ଲୀକୁ ଆସିବା ପାଇଁ ସମନ ମଧ୍ୟ କରିଛନ୍ତି।

ଭୋପାଲରୁ ସାଂସଦ ହୋଇଥିବା ପ୍ରଜ୍ଞା ବିଜେପି କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି,“ଆମେମାନେ ଆପଣମାନଙ୍କର ଡ୍ରେନ୍ ସଫା କରିବାକୁ ନିର୍ବାଚିତ ହୋଇନାହୁଁ।

ଆମେ ଆପଣଙ୍କ ପାଇଖାନା ସଫା କରିବାକୁ ନିର୍ବାଚିତ ହୋଇନାହୁଁ। ଏକଥା ସମସ୍ତେ ବୁଝିବା ଦରକାର। ମୁଁ ଯେଉଁ କାମ ପାଇଁ ନିର୍ବାଚିତ ହୋଇଛି, ସେ କାମ ମୁଁ ବେଶ ସ୍ୱଚ୍ଛତାର ସହ କରିବି। ମୁଁ ନିର୍ବାଚନ ପୂର୍ବରୁ କହିଥିଲି ଏବଂ ଏବେ ବି ଏକଥା କହୁଛି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ କଥା କହୁଥିବା ବେଳେ ପ୍ରଜ୍ଞାଙ୍କ ଏଭଳି ବୟାନ ନୂଆ ବିବାଦର ସୂତ୍ରପାତ କରିଛି।