ବିଜେପି ସବୁଠୁ ଧନୀ ରାଜନୈତିକ ଦଳ: ସମ୍ପତ୍ତି କେତେ ଜାଣିଛନ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ଲୋକସଭା ସିଟ୍‌ରୁ ଦୌଡ଼ ଆରମ୍ଭ କରି ବିଜେପି, ଏବେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ସହ ଦେଶର ସବୁଠୁ ଧନୀ ରାଜନୈତିକ ପାର୍ଟିରେ ପରିଣତ ହୋଇପାରିଛି। ୩୮ବର୍ଷ ପୂର୍ବେ ୧୯୮୦ରେ ଏହି ପାର୍ଟି ଗଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟି ଗଠିତ ହେବା ପରେ ପ୍ରଥମ ସାଧାରଣ ନିର୍ବାଚନରେ ୨ଟି ଲୋକସଭା ସିଟ୍ ଜିତିଥିବା ଦଳ ୨୦୧୪ ନିର୍ବାଚନରେ ୨୮୨ଟି ସିଟ୍ ହାତେଇ ପାରିଛି।

କେବେଳ ସେତିକି ନୁହେଁ କଂଗ୍ରେସ ଅପେକ୍ଷା ବିଜେପିର ଆୟ ମଧ୍ୟ ୪ ଗୁଣରୁ ଅଧିକ ହୋଇପାରିଛି। ବ୍ୟୟ ମଧ୍ୟ କଂଗ୍ରେସ ଅପେକ୍ଷା ପ୍ରାୟ ଅଢ଼େଇ ଗୁଣା ଅଧିକ। ‘ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମ୍ସ’ ସଂସ୍ଥା ରିପୋର୍ଟରୁ ଏହା ଜଣା ପଡ଼ିଛି। ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଦାଖଲ କରିଥିବା ରିପୋର୍ଟ ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେପିର ଆୟ ହୋଇଛି ୧ ହଜାର ୩୪ କୋଟି ୨୭ ଲକ୍ଷ ଟଙ୍କା। ଏହାର ପୂର୍ବ ବର୍ଷ ତୁଳନାରେ ବିଜେପିର ଆୟ ୮୧ ଦଶମିକ ୧୮ ପ୍ରତିଶତ ବୃଦ୍ଧି ପାଇଛି, ଅର୍ଥାତ ୨୦୧୫-୧୬ ଆର୍ଥିକ ବର୍ଷରେ ବିଜେପିର ଆୟ ଥିଲା ୫୭୦ କୋଟି ୮୬ ଲକ୍ଷ ଟଙ୍କା। ୨୦୧୬-୧୭ରେ ତାହା ୧ ହଜାର ୩୪ କୋଟିକୁ ବୃଦ୍ଧି ପାଇଛି। ଏହି ସମୟରେ ଦଳ ବ୍ୟୟ କରିଛି, ୭୧୦ କୋଟି ୫ ଲକ୍ଷ ୭୦ ହଜାର ଟଙ୍କା। ଏହା ତୁଳନାରେ କଂଗ୍ରେସର ଉଭୟ ଆୟ ଓ ବ୍ୟୟ ବହୁତ କମ୍ ଅଛି। ୨୦୧୬-୧୭ ଆର୍ଥିକ ବର୍ଷରେ କଂଗ୍ରେସର ଆୟ ହୋଇଛି ୨୨୫ କୋଟି ୩୬ ଲକ୍ଷ। ଏହି ସମୟରେ ବ୍ୟୟ ହୋଇଛି ୩୨୧ କୋଟି ୬୬ ଲକ୍ଷ ଟଙ୍କା।