ବିଜେପି ନେତାଙ୍କ ତୁଣ୍ଡରେ ବାଡ଼ବତା ନାହିଁ: ବିରୋଧୀଙ୍କୁ କହିଲେ ଗଧ ଓ ମାଙ୍କଡ଼

ନୂଆଦିଲ୍ଲୀ: ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ନେତ୍ରୀ ସାଧ୍ୱୀ ପ୍ରାଚୀ ଏଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ରାହୁଲ ଗାନ୍ଧିଙ୍କୁ ବୋକା ବୋଲି କହିଛନ୍ତି। ବରେଲି ଗସ୍ତ ସମୟରେ ସାଧ୍ୱୀପ୍ରାଚୀ କହିଛନ୍ତି, ଏଭଳି ବୋକାଙ୍କର ନମ୍ବର ଜୀବନରେ କେବେବି ଆସେ ନାହିଁ। ସେ କେବେ ବି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ଏତିକିରେ ଅଟକି ନଥିଲା ସାଧ୍ୱୀଙ୍କ ଲଗାମଛଡ଼ା ତୁଣ୍ଡ। ସେ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଉପଦେଶ ଦେଇଥିଲେ। ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, ରାହୁଲ ଗାନ୍ଧି ଏବେ ଆଉ ଯୁବକ ହୋଇ ନାହାଁନ୍ତି। ଏଥିପାଇଁ ଯେତେଶୀଘ୍ର ସମ୍ଭବ ତାଙ୍କର ବିବାହ କରିଦିଅ। ସଂସାର କରି ସେ ଖୁସିରେ ରୁହନ୍ତୁ।

ଏହାପରେ ବିରୋଧିମାନଙ୍କୁ ଗୋଟିଏ ପରେ ଗୋଟିଏ ବାଣ ମାରି ଚାଲିଥିଲେ ସାଧ୍ୱୀପ୍ରାଚୀ। ୨୦୧୯ ନିର୍ବାଚନ ପାଇଁ କୌଣସି ଚେହେରା ଦେଖାଯାଉ ନାହିଁ ବୋଲି ସେ କହିଥିଲେ। କିଛି ହେଟାବାଘ ରାମ ମନ୍ଦିରକୁ ବିରୋଧ କରିବା ପାଇଁ ମେଳି ବାନ୍ଧିଛନ୍ତି। ଏମାନଙ୍କଠାରେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ। ଏମାନେ ଧର୍ମନିରପେକ୍ଷ ହେଟାବାଘ ବୋଲି ସାଧ୍ୱୀପ୍ରାଚୀ କହିଥିଲେ। ଅଯୋଧ୍ୟାରେ ହିଁ ରାମ ମନ୍ଦିର ହେବ, ଏହାକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ ଚ୍ୟାଲେଞ୍ଜ ଦେଇଥିଲେ।

ସେହିଭଳି ରାଜ୍ୟ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ମଧ୍ୟ ବିରୋଧି ଦଳ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ମୋଦିଙ୍କୁ ବାଘ ଓ ବିରୋଧିଙ୍କୁ ଗଧ ଓ ମାଙ୍କଡ଼ ସହିତ ତୁଳନା କରିଥିଲେ। ଜନତାଙ୍କୁ ସମ୍ବୋଧନ କରି ସେ କହିଥିଲେ, ଗୋଟିଏ ପଟେ ବାଘ ଛିଡ଼ା ହୋଇଛି ଅନ୍ୟପଟେ ମାଙ୍କଡ଼ ଓ ଗଧମାନେ ଛିଡ଼ା ହୋଇଛନ୍ତି। ୨୦୧୯ରେ ଆପଣମାନେ ନିଷ୍ପତ୍ତି ନେବେ ବାଘ ଜିତିବ ନା ଗଧ କିମ୍ବା ମାଙ୍କଡ଼।

ବିବାଦୀୟ ମନ୍ତବ୍ୟ ଦେବାରେ ବିଜେପି ନେତା ସବୁଠୁ ଆଗରେ। କାହାକୁ କେଉଁ ଭାଷାରେ କ’ଣ କହନ୍ତି ଏମାନେ ଜାଣନ୍ତି ନାହିଁ। ବେଳେବେଳେ ଅସୌଜନ୍ୟ ଭାଷା ମଧ୍ୟ ବ୍ୟବହାର କରିଦେଉଛନ୍ତି।