ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: ଆରଏସ୍‌ଏସ୍‌ ବିରୋଧରେ ନ ଲେଖିଥିଲେ ସମ୍ଭବତଃ ବଞ୍ଚି ଯାଇଥାଆନ୍ତେ ଗୌରୀ

ବେଙ୍ଗାଲୁରୁ: ବରିଷ୍ଠ ସାମ୍ୱାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ପରେ ରାଜନୀତି ଜୋର ଧରୁଛି। ଏବେ କର୍ଣ୍ଣାଟକର ଜଣେ ବିଜେପି ବିଧାୟକ ଏହି ମାମଲା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକକୁ ସମ୍ୱୋଧିତ କରିବା ଅବସରରେ ବିଧାୟକ ଜୀବରାଜ କହିଥିଲେ,“ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଲୋକଙ୍କ ମୃତ୍ୟୁ ଉପରେ ଯେଉଁ ଉତ୍ସବ ପାଳନ କରାଯାଉଥିଲା ସେ ସମ୍ପର୍କରେ ନ ଲେଖିଥିଲେ ହୁଏତ ଗୌରୀ ଲଙ୍କେଶ ବଞ୍ଚି ଯାଇଥାଆନ୍ତେ। କଂଗ୍ରେସ ସରକାର ସମୟରେ କିଛି ଆରଏସ୍‌ଏସ୍ କର୍ମୀଙ୍କୁ ମାରି ଦିଆଯାଇଥିଲା। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ସିଦ୍ଧରମୈୟାଙ୍କ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।”

ସେ କହିଥିଲେ,“ଗୌରୀ ଲଙ୍କେଶ ମୋ ଭଉଣୀ ଭଳି। କିନ୍ତୁ ଯେପରି ଭାବରେ ସେ ବିଜେପି ଓ ଆରଏସ୍‌ଏସ୍ ବିରୋଧରେ ଲେଖୁଥିଲେ ତାହା ଭୁଲ ଥିଲା।”

ସୂଚନାଯୋଗ୍ୟ ଯେ, ରାଜରାଜେଶ୍ୱରୀ ଅଞ୍ଚଳରେ ଥିବା ଗୌରୀଙ୍କ ଘର ବାହାରେ ଅଜଣା ବନ୍ଧୁକଧାରୀମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେ କନ୍ନଡ଼ ଭାଷାରେ ପ୍ରକାଶିତ ସାପ୍ତାହିକ ପତ୍ରିକା ‘ଲଙ୍କେଶ୍ ପତ୍ରିକା’ର ସମ୍ପାଦକ ଥିଲେ। ଏହାସହିତ ସେ ଖବର କାଗଜଗୁଡ଼ିକରେ ବିଭିନ୍ନ ବିଷୟବସ୍ତୁ ଉପରେ ସ୍ତମ୍ଭ ଲେଖୁଥିଲେ।