ଏମିତି ଶୃଙ୍ଖଳିତ ପଦ୍ମ ଦଳିଆ: ସରକାରୀ ଅଧିକାରୀଙ୍କୁ ପବ୍ଲିକ୍‌ରେ ପିଟିଲେ ବିଜେପି ନେତା

ରାଞ୍ଚି: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏବେ କେନ୍ଦ୍ରରେ କ୍ଷମତାସୀନ ଅଛି। ଏହାସହ ଦେଶର ୧୯ଟି ରାଜ୍ୟରେ ବିଜେପି ଶାସନ କରୁଛି। ଦିନକୁ ଦିନ ମୋଦିଙ୍କ ନେତୃତ୍ୱ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ଏହାର ଫଳସ୍ୱରୂପ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ କ୍ଷମତାକୁ ଆସିବାକୁ ସକ୍ଷମ ହେଉଛି। ଏପରି ସ୍ଥିତିରେ ବହୁ ସମୟରେ ବିଜେପିର କିଛି ନେତାଙ୍କ ଦାଦାଗିରି ମଧ୍ୟ ଦେଖିବାକୁ ମିଳୁଛି। ଏହି ନେତାମାନେ ସବୁ ସୀମା ଟପି ଯାଇ ଦଳକୁ ଲଜ୍ଜାଜନକ ପରିସ୍ଥିତିରେ ପକାଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ। ଏଠାରେ ଜଣେ ବିଜେପି ନେତା ବିଚ୍‌ ରାସ୍ତାରେ ଜଣେ ସରକାରୀ ଅଧିକାରୀଙ୍କୁ ନିସ୍ତୁକ ପିଟିଛନ୍ତି। ଏହି ଘଟଣାର ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି।

ବିଚ୍‌ ରାସ୍ତାରେ ଦବଙ୍ଗଗିରି ଦେଖାଇଥିବା ଏହି ବିଜେପି ନେତା ଜଣଙ୍କ ହେଲେ ଝାଡ଼ଖଣ୍ଡ ଲାଟେହାର ଅଞ୍ଚଳର ଜିଲ୍ଲା ସ୍ତରୀୟ ୨୦ ପଏଣ୍ଟ କାର୍ଯ୍ୟକ୍ରମ ଉପ ସଭାପତି (20 Point Program Committee) ରାଜଧାନୀ ଯାଦବ। ରାସ୍ତା ଉପରେ ସେ ଜିଲ୍ଲା ପରିବହନ ଅଧିକାରୀ ଏଫ୍. ବରଲାଙ୍କୁ ପିଟିଛନ୍ତି। ପରିବହନ ଅଧିକାରୀଙ୍କ ଦୋଷ କେବଳ ଏତିକି ଥିଲା ଯେ, ସେ ବିଜେପି ନେତାଙ୍କ ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍‌କୁ ବାହାର କରିଥିଲେ।

ରାଜଧାନୀ ଯାଦବଙ୍କ ନାଁରେ ଆରଟିଓ ଆଇନ ଉଲ୍ଲଂଘନ ଅଭିଯୋଗ ଥିଲା। ବରଲା ଯେତେବେଳେ ନାମଫଳକ ବାହାର କରୁଥିଲେ, ଏହି ସମୟରେ ରାଜଧାନୀ ପଛରୁ ଦୌଡ଼ି ଦୌଡ଼ି ଆସି ସେଠାରେ ପହଞ୍ଚି ଥିଲେ। କିଛି ନବୁଝି ସେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ। ଏତିକିରେ ଶାନ୍ତ ପଡ଼ି ନଥିଲେ ରାଜଧାନୀ। ରାସ୍ତା ଉପରେ ବରଲାଙ୍କୁ ଗାଲକୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ଆରମ୍ଭ କରିଦେଇଥିଲେ।

ଘଟଣା ପରେ ଥାନାରେ ରାଜଧାନୀଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ହେଲେ ରାଜଧାନୀଙ୍କୁ ଗିରଫ କରାଯାଇ ନଥିବାରୁ ସରକାରୀ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ। ଏହିକୁ ନେଇ ଅସନ୍ତୋଷ ବଢିବାରୁ ଘଟଣାର ୩ ଘଣ୍ଟା ପରେ ରାଜଧାନୀଙ୍କୁ ପୋଲିସ୍‌ ଗିରଫ କରିଥିଲା।

https://www.youtube.com/watch?v=Vi0EdQONrHY