ଇସରତ ଜାହାନଙ୍କୁ ଘର ଖାଲି କରିବାକୁ ଧମକ

କୋଲକାତା: ବିଜେପି ନେତ୍ରୀ ଇସରତ ଜାହାନ ଜଣେ ମୁସଲିମ। ହେଲେ ସେ ହିଜାବ ପରିଧାନ କରି ଏକ ହିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି।

ଏଥିପାଇଁ ଇସରତଙ୍କୁ ବାରମ୍ବାର ଧମକ ମିଳିଛି। ଏଥିସହ ତାଙ୍କୁ ଘର ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୬ରେ ଇସରତ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ହାୱଡ଼ା ସ୍ଥିତ ଏସି ମାର୍କେଟରେ ବିଜେପି ପକ୍ଷରୁ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏଥିରେ ଯୋଗଦେବାକୁ ଇସରତ ମଧ୍ୟ ଯାଇଥିଲେ। ତେବେ ସେ ଏଠାରୁ ଫେରିବା ପରେ ତାଙ୍କରି ସଂପ୍ରଦାୟର ଲୋକମାନେ ଇସରତଙ୍କୁ ଧମକ ଦେବା ଆରମ୍ଭ କରିଥିଲେ।

ଇସ୍‌ରତ କହିଛନ୍ତି, “ମୁଁ ହିଜାବ ପରିଧାନ କରି ଏକ ହିନ୍ଦୁ ଧର୍ମର କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସେମାନେ ଏହାକୁ ବିରୋଧ କରିଥିଲେ। ମୁଁ ମୁସଲିମ ଧର୍ମକୁ ଅପମାନିତ କରିଥିବା ମଧ୍ୟ କହିଥିଲେ।

କିଛି ଲୋକ ମୋ ଘର ଆଗରେ ନାରାବାଜି କରିବା ସହ ତୁରନ୍ତ ଘର ଖାଲି କରିବାକୁ ଧମକ ଦେଇଥିଲେ। ଯଦି ମୁଁ ସେମାନଙ୍କ କଥା ନ ଶୁଣିବି, ତା’ହେଲେ ସେମାନେ ମୋତେ ବାହାର କରିଦେବେ ବୋଲି ମଧ୍ୟ ଧମକ ଦେବାକୁ ପଛାଇ ନଥିଲେ। ମୋତେ ହତ୍ୟା ଧମକ ମଧ୍ୟ ମିଳିଛି। ଏଥିପାଇଁ ମୁଁ ସୁରକ୍ଷା ଲୋଡ଼ିଛି। ମୁଁ ଏବେ ଏକୁଟିଆ ମୋ ପୁଅ ସହ ରହୁଛି। ତେଣୁ କିଛି ବି ହେଇପାରେ।”

ପୁଲିସ୍‌ ଏବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।