କେଜ୍ରିୱାଲଙ୍କ ଘରେ ବିଜେପି ନେତାଙ୍କୁ ମାଡ଼

ନୂଆଦିଲ୍ଲୀ: ସିଲିଙ୍ଗ ପ୍ରସଙ୍ଗରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ବାକଯୁଦ୍ଧ ବଢ଼ିବାରେ ଲାଗିଛି। ଏପରିକି ଏହା ମାରପିଟର ରୂପ ନେଇଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କେଜ୍ରିୱାଲଙ୍କ ଘରକୁ ଯାଇଥିବା ବିଜେପି ନେତାଙ୍କୁ ମାଡ଼ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରି ଘଟଣାର ପ୍ରତିବାଦରେ ସାଂସଦ ମନୋଜ ତିୱାରୀଙ୍କ ନେତୃତ୍ୱରେ ବିଜେପି ନେତାମାନେ କେଜ୍ରିୱାଲଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।

ରିପୋର୍ଟ ଅନୁସାରେ, ସିଲିଙ୍ଗ ପ୍ରସଙ୍ଗରେ ଆଲୋଚନା ପାଇଁ ତିୱାରୀଙ୍କ ନେତୃତ୍ୱରେ ବିଜେପି ନେତାମାନେ କେଜ୍ରିୱାଲଙ୍କ ଘରକୁ ଯାଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯିବାକୁ ନେଇ ସେଠାରେ କେଜ୍ରିୱାଲଙ୍କ ସହ ଯୁକ୍ତିତର୍କ ହୋଇଥିଲା।

କେଜ୍ରିୱାଲ କହିଥିଲେ, “ବନ୍ଦ କୋଠରୀ ବଦଳରେ ମିଡିଆ ଆଗରେ ଚର୍ଚ୍ଚା କରାଯାଉ। ଏହାପରେ ଯାହା ସହମତି ହେବ ତାକୁ ନେଇ ଏଲ୍‌ଜିଙ୍କ ପାଖକୁ ଯିବା।”

ବିଜେପି ପକ୍ଷରୁ କୁହାଯାଇଥିଲା, “ଆମେ ଆପଣଙ୍କ ସହ ଆଲୋଚନା କରିବାକୁ ଆସିଥିଲୁ। ଆପଣ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଡାକିଛନ୍ତି।”

ଏହାପରେ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା ଥାନାରେ ପହଞ୍ଚି କେଜ୍ରିୱାଲଙ୍କ ଘରେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ୍‌ ବିଜେନ୍ଦ୍ର ଏବଂ ଅନ୍ୟଜଣେ ବିଜେପି ନେତାଙ୍କୁ ଚେକ୍‌ଅପ୍‌ ପାଇଁ ମେଡିକାଲ ପଠାଇଛି।

ସୂଚନାଯୋଗ୍ୟ, ସିଲିଙ୍ଗକୁ ନେଇ ଦିଲ୍ଲୀରେ ବିଜେପି ଓ ଆପ୍‌ ମଧ୍ୟରେ ରାଜନୀତି ଜୋର ଧରିଛି। ଉଭୟ ଦଳ ସିଲିଙ୍ଗ ପ୍ରସଙ୍ଗରେ ପରସ୍ପରର ଉପରେ ଦୋଷ ଲଦିବାକୁ ଲାଗିଛନ୍ତି।