ଏବେ ଭୋଟ ହେଲେ ଓଡ଼ିଶାରେ ବିଜେପିକୁ ମିଳିବ ବିପୁଳ ସଫଳତା, ବିଜେପି ପାଇବ ୧୩ ଏମପି ସିଟ୍‌, ବିଜେଡି ପାଇବ ୮: ରିପବ୍ଲିକ୍ ଟିଭି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆଗାମୀ ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ଏବେଠାରୁ ରାଜନୈତିକ ପାଣିପାଗ ସରଗରମ ହେଲାଣି। ସତ୍ତା ଦଖଲ ନେଇ ସବୁ ଦଳ ଅଙ୍କ କଷିବା ଆରମ୍ଭ କଲେଣି। ରଣନୀତି ମଧ୍ୟ ଜୋରଦାର ପ୍ରସ୍ତୁତି ହେଲାଣି । ଏହାରି ଭିତରେ ରିପବ୍ଲିକ୍ ଟିଭି ଚ୍ୟାନେଲ୍ ରିପବ୍ଲିକ୍-ସିଭୋଟର ନ୍ୟାସନାଲ ଆପ୍ରୁଭାଲ୍ ରେଟିଂ ପକ୍ଷରୁ ଓଡ଼ିଶା ରାଜନୀତିକୁ ନେଇ ଏକ ସର୍ଭେ ରିପୋର୍ଟ ଆସିଛି। ଯଦି  ଏବେ ଭୋଟ୍ ହୁଏ  ଓଡ଼ିଶାରେ ବିଜେପିକୁ ମିଳିବ ବିପୁଳ ସଫଳତା । ଏଭଳି ପୂର୍ବାନୁମାନ କରିଛି ରିପବ୍ଲିକ୍ ଟିଭି ଚ୍ୟାନେଲ୍।

ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ନିର୍ବାଚନ ହେଲେ ଓଡ଼ିଶାରେ ବିଜେପି  ୨୦୧୪ ତୁଳନାରେ ୧୨ଟି ଅଧିକ ଲୋକସଭା ସିଟ୍ ପାଇବ।   ସେହିପରି ବିଜେଡିର ସିଟ୍ ସଂଖ୍ୟା ୮କୁ ଖସିଆସିବ।  ବିଜେପିର ଭୋଟ୍ ପ୍ରତିଶତ ୨୬.୮ରୁ ୩୯ ପ୍ରତିଶତକୁ ବଢ଼ିବା ସମ୍ଭାବନା ଥିବା ବେଳେ ବିଜେଡିର ଭୋଟ୍ ପ୍ରତିଶତ ୪୧.୧ ପ୍ରତିଶତରୁ ୩୩.୪ ପ୍ରତିଶତକୁ ଖସିବା ନେଇ ପୂର୍ବାନୁମାନ କରିଛି ସର୍ଭେ । ସେହିପରି କଂଗ୍ରେସ ଭୋଟ୍ ହାର ୨୦୧୪ ତୁଳନାରେ ୨୧.୫ ପ୍ରତିଶତରୁ ୧୭.୨ ପ୍ରତିଶତକୁ ଖସି ଆସିବା ନେଇ ରିପବ୍ଲିକ୍ ଚ୍ୟାନେଲ୍ ପୂର୍ବାନୁମାନ କରିଛି । ତେବେ ଏନେଇ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ମିଳିନାହିଁ।