ଛତିଶଗଡ଼ରେ ଆଉ ଆଶା ନାହିଁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଆଜି ଚାଲିଛି ଭୋଟ୍ ଗଣତି। ଆଜି ଜଣାପଡ଼ିବ ଲୋକେ ଏସବୁ ରାଜ୍ୟରେ ଶାସନ ଗାଦିରେ ବସାଇବାକୁ କାହାକୁ ଭୋଟ୍ ଦେଇଛନ୍ତି।

ମଧ୍ୟାହ୍ନ ସୁଦ୍ଧା ଯେଉଁ ଟ୍ରେଣ୍ଡିଂ ଆସିଛି, ସେଥିରେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଛି। ତେବେ ଛତିଶଗଡ଼ରେ ବିଜେପି ବହୁ ପଛରେ ପଡ଼ି ଯାଇଛି। ଟ୍ରେଣ୍ଡିଂ ଦେଖି ଲୋକେ କହୁଛନ୍ତି, ଏଠାରେ ରମଣ ସିଂହ ଆଉ ମୁଖ୍ୟମନ୍ତ୍ରୀ ହେଲା ଭଳି ଆଶା ନାହିଁ। ରାଜ୍ୟରେ ବିଜେପି ୧୫ ବର୍ଷ ହେଲାଣି ଶାସନ କରି ସାରିଛି।

ଏଠାରେ କଂଗ୍ରେସ ୬୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୧୮ଟି ଆସନରେ ଆଗୁଆ ରହିଛି। ଏହାକୁ ଦେଖିଲେ ଆଉ ଆଶା ଲାଗୁନି ଯେ ବିଜେପି କଂଗ୍ରେସକୁ ଟପି ପାରିବ। ତେବେ ଭୋଟ୍ ଗଣତି ନ ସରିବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ।

ଛତିଶଗଡ଼ରେ ଅନ୍ୟାନ୍ୟ ପ୍ରାର୍ଥୀ ୮ଟି ଆସନରେ ଆଗୁଆ ଅଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ ବିଧାନସଭାରେ ୯୧ଟି ଆସନ ରହିଛି। ତେବେ ଗୋଟିଏ ଆସନ ପାଇଁ ଏଠାରେ ନୋମିନେସନ୍ ହୋଇଥାଏ ଓ ବାକି ୯୦ଟିରେ ନିର୍ବାଚନ ହୋଇଥାଏ। ଗତଥର ଏଠାରେ ବିଜେପି ୪୯ ଆସନ ଜିତି ସରକାର ଗଢ଼ି ଥିବା ବେଳେ କଂଗ୍ରେସ ୩୯ଟି ଆସନ ଜିତିଥିଲା।

ଅନ୍ୟପକ୍ଷରେ ତେଲେଙ୍ଗାନାରେ ଟିଆର୍‌ଏସ୍‌ ବହୁମତ ନେଇ ସରକାର ଗଢ଼ିବା ସ୍ପଷ୍ଟ ହେଉଛି। ଦଳ ଏଠାରେ ୧୧୯ଟି ଆସନରୁ ୮୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୨୨ଟିରେ ଆଗୁଆ ରହିଛି। ସେମିତି ମିଜୋରାମରେ କଂଗ୍ରେସ ଦୁର୍ଗ ଭାଙ୍ଗି ଯାଇଛି। ୪୦ ଆସନ ବିଶିଷ୍ଟ ମିଜୋରାମ୍‌ରେ ଏମ୍‌ଏନ୍‌ଏଫ୍‌ ୨୯ଟି ଆସନରେ ଆଗୁ ରହିଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଗୋଟିଏ ଆସନରୁ ନିର୍ବାଚନ ହାରି ଯାଇଛନ୍ତି। ଆଉ ଗୋଟିଏ ଆସନରେ ପଛରେ ଅଛନ୍ତି।