ଦାଉଦର ଝିଆରୀ ବାହାଘରରେ ଯୋଗ ଦେଇ ଥିଲେ ବିଜେପି ମନ୍ତ୍ରୀ ଓ ବିଧାୟକ; ପଢ଼ନ୍ତୁ ପୂରା ମାମଲା

ମୁମ୍ବାଇ: ଅଡୁଆରେ ପଡ଼ି ଯାଇଛନ୍ତି ବିଜେପି ନେତା ତଥା ମହାରାଷ୍ଟ୍ରର ମେଡିକାଲ୍ ଶିକ୍ଷା ମନ୍ତ୍ରୀ ଗିରିଶ ମହାଜନ ଓ ଦଶ ଜଣ ପୋଲିସ୍ ଅଫିସର। ଏମାନେ ଗତ ବୁଧବାର ଅର୍ଥାତ ମେ’ ୧୯ ତାରିଖରେ  ଫେରାର ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମର ଝିଆରୀର ବାହାଘରରେ ଯୋଗ ଦେଇଥିଲେ। ନାସିକରେ ଏହି ବାହାଘର ହୋଇଥିଲା। ବାହା ହୋଇଥିବା ଯୁବତୀ ହେଉଛନ୍ତି ଦାଉଦ୍‌ର ସ୍ତ୍ରୀର ଭଉଣୀ ଝିଅ।

ଗିରିଶ ମହାଜନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଖାସ୍ ଲୋକ ଭାବେ ପରିଚିତ। ତେବେ ସେ ଏକୁଟିଆ ଏହି ବାହାଘରରେ ଯୋଗ ଦେଇ ନ ଥିଲେ। ତାଙ୍କ ସହିତ ବିଜେପି ବିଧାୟକ ଦେବଯାନୀ ଫର୍ଣ୍ଣାଡିଜ୍, ବାଲାସାହେବ ସାନାପ ଓ ସୀମା ହିରୀ ଯୋଗ ଦେଇଥିଲେ। ସେହିପରି ନାସିକର ମେୟର ରଞ୍ଜନ ଭାନାସୀ ଓ ଡେପୁଟୀ ମେୟର ପ୍ରଥମେସ୍ ଗୀତେ (ଉଭୟ ବିଜେପି ନେତା) ଯୋଗ ଦେଇଥିଲେ। ଏହି ବାହାଘରରେ ସାମିଲ ହୋଇଥିବା ଦଶ ପୋଲିସ୍ ଅଧିକାରୀଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ପୋଲିସ୍ କମିଶନର ଥିଲେ। ଅନ୍ୟମାନେ ଇନିସ୍‌ପେକ୍ଟର ରାଙ୍କର ଅଫିସର ଥିଲେ।

ଦଶ ଜଣ ପୋଲିସ୍ ଅଧିକାରୀ ଏହି ବାହାଘରରେ ଉପସ୍ଥିତ ରହିବା ନେଇ ଅଭିଯୋଗ ଆସିବା ପରେ ନାସିକ ପୋଲିସ୍ କମିଶନର ରବୀନ୍ଦ୍ର ସିଂଘଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ତାଙ୍କୁ ଏକ ରିପୋର୍ଟ ମାଗିଛନ୍ତି। ନାସିକ ପୋଲିସ୍ କମିଶନର ଏହା ସ୍ପଷ୍ଟ କରିଛନ୍ତି ଯେ ଦାଉଦର ସ୍ତ୍ରୀ ଓ ବିବାହ ହୋଇଥିବା ଉକ୍ତ ଯୁବତୀଙ୍କ ମା’ ଦୁଇ ଭଉଣୀ।

ମେଡିକାଲ୍ ଶିକ୍ଷା ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ଯେ ସେ ଉକ୍ତ ବାହାଘରରେ ଉପସ୍ଥିତ ଥିଲେ। କିନ୍ତୁ ସେହି ପରିବାରର ଦାଉଦ୍‌ ସହିତ ସଂପର୍କ ଥିବା ତାଙ୍କୁ ଜଣାନାହିଁ। ସେ ଆହୁରି କହିଛନ୍ତି ସେ ଯୁବତୀ ଯାହାଙ୍କୁ ବାହା ହେଲେ ତାଙ୍କ ଦାଦା ସ୍ଥାନୀୟ ଅଞ୍ଚଳର ଜଣେ ମୁସ୍‌ଲିମ୍ ନେତା। ତାଙ୍କରି ଆମନ୍ତ୍ରଣକ୍ରମେ ସେ ସେଠାକୁ ଯାଇଥିଲେ। ତା’ଛଡ଼ା ବ୍ୟକ୍ତିଗତ ଭାବେ ସେ ତାଙ୍କୁ ଜାଣନ୍ତି। ତା’ପରେ ଉକ୍ତ ଝିଅର ପରିବାର ନାଁରେ କୌଣସି ପୋଲିସ୍ ମାମଲା ବି ନାହିଁ।

ସୂଚନାଯୋଗ୍ୟ, ୧୯୯୩ ବମ୍ବେ ବୋମା ବିସ୍ଫୋରଣରେ ସଂପୃକ୍ତ ଦାଉଦ ଏବେ ପାକିସ୍ତାନରେ ରହୁଛି।

ରିପୋର୍ଟ ଓ ଫଟୋ-ଟାଇମ୍ସ ଅଫ୍ ଇଣ୍ଡିଆ