ହାତରେ ପାଇଖାନା ସଫା କଲେ ବିଜେପି ସାଂସଦ: ଭିଡିଓ ହେଲା ଭାଇରାଲ

ରେୱା: ଆଜିକାଲି ନେତାଙ୍କୁ ନେଇ ସାଧାରଣ ଜନତାଙ୍କ ମତ ଭଲ ନୁହେଁ। ଜନତାଙ୍କ ମତରେ ଅଧିକାଂଶ ନେତା ଭ୍ରଷ୍ଟ ଓ ସେମାନେ କେବଳ ନିଜ ଉଦ୍ଦେଶ୍ୟ ସାଧନରେ ମାତିଛନ୍ତି। ଯାହାର ଫଳ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ହେଲେ ଆଜି ଏମିତି ଜଣେ ସାଂସଦଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ଼ ହେବା ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏହି ନେତା ଜଣଙ୍କ ହେଲେ, ମଧ୍ୟପ୍ରେଦଶର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା।

ନିଜେ ଜନାର୍ଦ୍ଦନ ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି, ଜନାର୍ଦ୍ଦନ ରେୱା ଜିଲ୍ଲାର ଖଜୁଆ ଗାଁ ସ୍କୁଲ ପରିଦର୍ଶନ ପାଇଁ ଯାଇଥିଲେ। ସେହି ସମୟରେ ସାଂସଦଙ୍କ ନଜର ଏକ ପାଇଖାନା ଉପରେ ପଡିଥିଲା। ପାଇଖାନାରେ ମାଟି ଜମି ରହିଥିବାରୁ ଏହା ବ୍ୟବହାର ହେଉ ନଥିଲା। ଏହା ଦେଖିବା ପରେ ଜନାର୍ଦ୍ଦନ ଚିରାଚରିତ ନେତାଙ୍କ ପରି ଶିକ୍ଷକଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିବା ବଦଳରେ ନିଜ ହାତରେ ପାଇଖାନା ସିଟ୍‌କୁ ସଫା କରିଥିଲେ।