‘ଯିଏ ଗୋ ହତ୍ୟା କରିବ ମୁଁ ତା ହାତଗୋଡ଼ କାଟିଦେବି’

 

ଲକ୍ଷ୍ନୌ: ଗୋ-ସୁରକ୍ଷା ପ୍ରସଙ୍ଗକୁ ନେଇ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ। ଉତ୍ତରପ୍ରଦେଶର ମୁଜାଫର ଦଙ୍ଗା ମାମଲାରେ ଅଭିଯୁକ୍ତ ଥିବା ବିଜେପି ଏମଏଲଏ ବିକ୍ରମ ସାଇନିଙ୍କ ଚାଞ୍ଚଲ୍ୟକର ବୟାନ। ସେ କହିଛନ୍ତି ଯେ, ଯିଏ  ଗୋରୁଙ୍କୁ ଛୁଇଁବ କିମ୍ବା ହତ୍ୟା କରିବ ମୁଁ ତା’ର ଗୋଡ଼ କାଟିଦେବି। ସେ ଆହୁରି କହିଛନ୍ତି ଯେ,ଯେଉଁମାନେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଗାନ କରିବେନି ତାଙ୍କୁ ବି ଛଡ଼ାଯିବନି। ଆଉ ଗୋରୁଙ୍କୁ ମାତା ବୋଲି ଗ୍ରହଣ କରୁ ନ ଥିବା ତଥା ଗୋ ହତ୍ୟାକାରୀଙ୍କୁ ଉଚିତ ଶିକ୍ଷା ଦିଆଯିବା ଉଚିତ୍। ଏମାନଙ୍କ ହାତ ଗୋଡ଼ କାଟି ଅଲଗା କରିଦେବି ବୋଲି ସେ ଚେତାବନୀ ଦେଇଛନ୍ତି।

ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ସାରା ୟୁପିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ୟୁପିରେ ବେଆଇନ କଂସେଇ ଖାନା ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଥିଲେ। ପରେ ବିଧାୟକ ସାଇନିଙ୍କ ଏଭଳି ମନ୍ତବ୍ୟ ଆସିଛି । ୨୦୧୩ ମୁଜାଫର ଦଙ୍ଗା ଘଟଣାରେ ୬୨ ଲୋକଙ୍କ ମୃତ୍ୟୁ ଘଟିଥଲା। ସେତେବଳେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ସାଇନି ଗିରଫ ହୋଇଥିଲେ।