ସରିଗଲା ଦିନ, ହୋଇପାରିଲାନି ଟ୍ରଷ୍ଟଭୋଟ୍‌

ବେଙ୍ଗାଲୁରୁ: ଆଜି ଦିନ ଶେଷ ସୁଦ୍ଧା ଟ୍ରଷ୍ଟ ଭୋଟ୍‌ ସାରିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିର୍ଦ୍ଦେଶକୁ ଏଡ଼ାଇ ବାଚସ୍ପତି କେଆର ରମେଶ କୁମାର କର୍ଣ୍ଣାଟକା ନାଟକକୁ ରୋଚକ ସ୍ଥିତିକୁ ନେଇଯାଇଛନ୍ତି। ତାଙ୍କର ଏପରି ନିଷ୍ପତ୍ତି ଫଳରେ ଏଚ୍‌ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଆଜିପାଇଁ ଆସ୍ଥା ଭୋଟ୍‌କୁ ଟାଳିଦେଇ ପାରିଛି। ଆଜି ପାଇଁ ଗୃହ ମୁଲତବୀ ରହିଥିବାରୁ ଏକ ପ୍ରକାର ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ମେଣ୍ଟ ସରକାରକୁ ଗୋଟିଏ ଦିନର ଆଶ୍ୱସ୍ତି ମିଳିଯାଇଛି। ଅନ୍ୟପକ୍ଷରେ ଏହାର ବିରୋଧରେ ବିଜେପି ରାତିସାରା ବିଧାନସଭା ଭିତରେ ଧାରଣାରେ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଶାସକ ଦଳର ବିଧାୟକମାନେ ହୋ ହଲ୍ଲା କରି ଗୃହକୁ ଏକ ପ୍ରକାର ଅଚଳ କରିବାରେ ସମର୍ଥ ହୋଇଥିଲେ। ଫଳରେ ଉପବାଚସ୍ପତି କ୍ରିଷ୍ଣା ରେଡ୍ଡି ଗୃହକୁ ବିନା ଟ୍ରଷ୍ଟ ଭୋଟ୍‌ରେ ମୁଲତବୀ ଘୋଷଣା କରିଥିଲେ। ଆସନ୍ତାକାଲି ସକାଳ ୧୧ଟା ଯାଏ ଗୃହ ମୁଲତବୀ ରହିବ।

ପୂର୍ବରୁ ଆସ୍ଥା ଭୋଟ୍‌ରେ ବିଳମ୍ବ ହେଉଥିବାରୁ ଏହା ବିରୋଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟିବା ପରେ ସେ ବାଚସ୍ପତି ରମେଶ କୁମାରଙ୍କୁ ଏକ ଚିଠି ଲେଖି ଆଜି ଦିନ ଶେଷ ସୁଦ୍ଧା ଆସ୍ଥା ଭୋଟ୍‌ ସାରିବାକୁ କହିଥିଲେ। ଏପରିକି ବାଚସ୍ପତି ଗୃହରେ ଏହି ଚିଠିକୁ ପଢ଼ିଥିଲେ ମଧ୍ୟ ତାକୁ ପାଳନ ନକରିବାରୁ ବିଜେପି ବିଧାୟକମାନେ ଧାରଣା ଦେଇଛନ୍ତି। ବିଜେପି ନେତା ୟେଦ୍ଦୁରପ୍ପା କହିଛନ୍ତି, ପୁରୁଷ ବିଧାୟକଙ୍କ ପାଇଁ ତକିଆ, ଖାଦ୍ୟ ଏବଂ ଶଯ୍ୟାର ବ୍ୟବସ୍ଥା କରାଯିବ। ମହିଳାମାନେ ରାତି ୯ଟା ପର୍ଯ୍ୟନ୍ତ ରହିବେ।

ଏହା ପୂର୍ବରୁ ଆଜି ଭୋଟିଂ ହେବା ଦାବିରେ ୟେଦ୍ଦୁରପ୍ପା ଅଡ଼ି ବସିଥିଲେ। ସେ କହିଥିଲେ ମଧ୍ୟରାତ୍ରି ଯାଏ ସମୟ ଅଛି, ଆମେ ଭୋଟିଂ ପାଇଁ ଅପେକ୍ଷା କରିବୁ। ସେ ଆହୁରି ମଧ୍ୟ କହିଥିଲେ, ସରକାର ଜାଣିଶୁଣି ଆସ୍ଥା ଭୋଟ୍‌ ବାବଦରେ ଆଲୋଚନା ନକରି ବିଳମ୍ବ କରାଉଛନ୍ତି। ୧୫ ମିନିଟ୍‌ ଏହି ପ୍ରସଙ୍ଗରେ ଆଲୋଚନା ହୋଇନଥିବା ବେଳେ ଅନ୍ୟପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସମୟ ଦେବା ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ହ୍ୱିପ୍‌ ବାବଦରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ନେଇ ବାଚସ୍ପତି କେଆର ରମେଶ କୁମାର କହିଥିଲେ କୌଣସି ଦଳଙ୍କୁ ସେମାନଙ୍କ କ୍ଷମତା ପ୍ରୟୋଗ କରିବାରୁ ସେ ବଞ୍ଚିତ କରିପାରିବେ ନାହିଁ। ସୁପ୍ରିମ୍‌କୋର୍ଟ ବିଧାୟକଙ୍କ ଇସ୍ତଫା ନେଇ ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ିଥିବାବେଳେ ସେ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏ ସଂକ୍ରାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଅନ୍ୟପକ୍ଷେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିର୍ଦ୍ଦେଶ ମୁତାବକ ସେ କୌଣସି ବିଧାୟକଙ୍କୁ ଗୃହରେ ହାଜର ହେବାକୁ ବାଧ୍ୟ କରିପାରିବେ ନାହିଁ।

ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଧାଡ଼ିକିଆ ସଂକଳ୍ପରୁ ବିଧାନସଭା ଆରମ୍ଭ ହୋଇଥିଲା। ସେ କହିଥିଲେ, ତାଙ୍କ ନେତୃତ୍ୱାଧୀନ ଏହି ୧୪ ମାସର ମନ୍ତ୍ରିମଣ୍ଡଳ ଉପରେ ଗୃହ ଆସ୍ଥା ପ୍ରକଟ କରୁଛି। ମେଣ୍ଟ ସରକାରରୁ ୧୬ ଜଣ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟା ଗରିଷ୍ଠତା ହରାଇସାରିଥିବା ବେଳେ ସେ ନିଜ ସରକାରକୁ ନେଇ ଦମ୍ଭ ଦେଖାଇଥିଲେ। ତେବେ ଏହି ଡ୍ରାମା ଆହୁରି ମୁଖର ହୋଇଥିଲା ଯେତେବେଳେ କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲଙ୍କୁ ଗୃହରେ ଦେଖିବାକୁ ମିଳିନଥିଲା। କିଛି ସମୟ ପରେ ସେ ମୁମ୍ବାଇର ଏକ ହସ୍ପିଟାଲରେ ଥିବା ଜଣାପଡ଼ିବା ପରେ କଂଗ୍ରେସ ବିଧାୟକ ତାଙ୍କ ଫଟୋ ଥିବା ପୋଷ୍ଟର ଧରି ଗୃହକୁ ଆସିଥିଲେ। ସେମାନେ ବିଜେପି ବିରୋଧରେ ଏବଂ ‘ଅପରେସନ୍‌ କମଲ୍’ ବିରୋଧରେ ନାରା ଦେଇଥିଲେ। ପୂର୍ବରୁ ତାଙ୍କୁ ଅପହରଣ କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା।