ପରିଚୟ ପତ୍ର ମାଗିଲେ ବୋଲି ଟୋଲ୍‌ କର୍ମଚାରୀଙ୍କୁ ମାଡ଼ ମାରିଲେ ବିଜେପି ସାଂସଦ

ଶିବପୁରୀ: ପୁଣି ଜଣେ ବିଜେପି ନେତାଙ୍କ ଦାଦାଗିରି ଦେଖିବାକୁ ମିଳିଛି। ପରିଚୟ ପତ୍ର ମାଗିବାରୁ ରାଗି ଯାଇ ଜଣେ ବିଜେପି ସାଂସଦ ଟୋଲ୍ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଘଟଣା ଘଟିଛି ମଧ୍ୟପ୍ରଦେଶର ଶିବପୁରୀ-ଗୁନା ମଧ୍ୟରେ ଥିବା ପୁନଖଣ୍ଡି ଟୋଲ୍‌ ପ୍ଲାଜାରେ।
nandkumar-singh-chouhan
ସାଂସଦ ନନ୍ଦ କୁମାର ସିଂହ ଚୌହାନ
ସୂଚନା ଅନୁସାରେ, ଗତକାଲି ବିଜେପିର ପୂର୍ବତନ ରାଜ୍ୟ ସଭାପତି  ତଥା ଖଣ୍ଡୱା ସାଂସଦ ନନ୍ଦ କୁମାର ସିଂହ ଚୌହାନ ଶିବପୁରୀରୁ ଗୁନା ଫେରୁଥିଲେ। ଏହି ସମୟରେ ଟୋଲଗେଟ୍ କର୍ମଚାରୀ ତାଙ୍କୁ ପରିଚୟପତ୍ର ମାଗିବାରୁ ସେ ରାଗି ଯାଇ ସେହି କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ। ଏମିତି କି ତାଙ୍କ ସୁରକ୍ଷା କର୍ମଚାରୀ ଟୋଲ୍‌ କର୍ମଚାରୀଙ୍କୁ ମଧ୍ୟ ନିର୍ଧୁମ ମାଡ଼ ମାରିଥିଲେ। ଏଥିରେ ଦୁଇ ଜଣ ଟୋଲ୍‌ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଛି। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି।
ତେବେ ଏହି ସବୁ ଘଟଣା ଟୋଲ୍‌ ପ୍ଲାଜାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଟୋଲ୍‌ ପ୍ଲାଜା ପକ୍ଷରୁ ଥାନାରେ କୌଣସି ମାମଲା ରୁଜୁ କରାଯାଇ ନାହିଁ।
ଟୋଲ୍‌ ପ୍ଲାଜାର ମ୍ୟାନେଜର ମହେନ୍ଦ୍ର ସିଂହ ତୋମର କହିଛନ୍ତି,“ ନନ୍ଦ କୁମାର ସିଂହ ଚୌହାନ ନିଜ ପରିଚୟ ଦେଇଥିଲେ ମଧ୍ୟ  ଟୋଲ୍ କର୍ମଚାରୀ ତାଙ୍କୁ ତାଙ୍କ କାର୍ଡ ମାଗିଥିଲେ। ଏହାପରେ ନନ୍ଦ କୁମାର ଓ ତାଙ୍କ  ସୁରକ୍ଷା କର୍ମଚାରୀମାନେ ଆସି ସିକ୍ୟୁରିଟି ଗାର୍ଡ ଅଜେନ୍ଦ୍ର ସିଂହଙ୍କୁ ମାଡ଼ ମାରିଥିଲେ। ଏହାପରେ ନନ୍ଦ କୁମାରଙ୍କ ସୁରକ୍ଷାକର୍ମୀ ଅନ୍ୟ ଜଣେ କର୍ମଚାରୀଙ୍କୁ ଲାତ ଗୋଇଠା ମାରିଥିଲେ। ନନ୍ଦ କୁମାର ମଧ୍ୟ ଜଣେ କର୍ମଚାରୀର କୋଲାର ଧରି ମାଡ଼ ମାରିଥିଲେ।”