ଦବଙ୍ଗ ବିଜେପି ବିଧାୟକ ଆକାଶଙ୍କ ମାଡ଼ପିଟ ଘଟଣା, ରିପୋର୍ଟ ମାଗିଲେ ଅମିତ ଶାହ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର-୩ର ବିଜେପି ବିଧାୟକ ଆକାଶ ବିଜୟଭର୍ଗିଆଙ୍କ ଦ୍ୱାରା ହୋଇଥିବା ମାଡ଼ପିଟ ଘଟଣାର ରିପୋର୍ଟ ରାଜ୍ୟ ବିଜେପି ସଭାପତିଙ୍କୁ ମାଗିଛନ୍ତି ବିଜେପି ଅଧ୍ୟକ୍ଷ  ଅମିତ ଶାହ। ବୁଧବାର ଦିନ ଇନ୍ଦୋର ନଗର ପାଳିକାର ଅଧିକାରୀଙ୍କୁ ବ୍ୟାଟରେ ବାଡ଼େଇଥିଲେ ଏହି ୩୪ ବର୍ଷୀୟ ବିଧାୟକ। ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ସମ୍ପୂର୍ଣ୍ଣ ଘଟଣା ବାବଦରେ ରିପୋର୍ଟ ଦେବା ପରେ ବିଜେପି ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଲ୍ଲେଖଯୋଗ୍ୟ, ଜାମିନ ନାମଞ୍ଜୁର ହେବାରୁ ଆକାଶଙ୍କୁ ଜୁଲାଇ ୭ ତାରିଖ ଯାଏ ଜେଲକୁ ପଠାଇ ଦିଆଯାଇଛି।

ସେହିପରି ଘଟଣା ପରେ ବିଧାୟକ ଆକାଶ ବିଜୟଭର୍ଗିଆଙ୍କୁ ସମର୍ଥନ କରି ‘ସାଲ୍ୟୁଟ୍ ଆକାଶ ଜୀ’ ନାମରେ ପୋଷ୍ଟର ସହରରେ ମରାଯାଇଥିବା ଦେଖିବାକୁ ମିଳିଛି। ଯାହାକି ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି। ଆକାଶଙ୍କ ବାପା କୈଳାଶ ବିଜୟଭର୍ଗିଆ ଦେଶର ଜଣେ ପ୍ରମୁଖ ବିଜେପି ନେତା। ଗଣମାଧ୍ୟମ ଯେତେବେଳେ ତାଙ୍କ ପୁଅର ଏପରି ମାଡ଼ପିଟ ଘଟଣାରେ ତାଙ୍କୁ ପ୍ରଶ୍ନ କରିଥିଲା, ସେତେବେଳେ ସେ ରାଗିଯାଇ କହିଥିଲେ “ତୁମ ଓଉକାତ୍ କଣ ପ୍ରଶ୍ନ ପଚାରିବାକୁ?” ଏହାପରେ ଏହି ଘଟଣା ବିଧାୟକ ବାପ-ପୁଅଙ୍କ ଦବଙ୍ଗଗିରି ବୋଲି ଚିତ୍ରିତ ହୋଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ବିଧାୟକ ଆକାଶ ମାଡ଼ ମାରିଥିବା ଇନ୍ଦୋର ନଗରପାଳିକା ଅଧିକାରୀ ଧୀରେନ୍ଦ୍ର ସିଂହ ବ୍ୟାସ(୪୬) ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଡାକ୍ତର କହିଛନ୍ତି ସେ ଏବେ ବିପଦମୁକ୍ତ ରହିଛନ୍ତି।

ଇନ୍ଦୋର ମ୍ୟୁନିସିପାଲଟି ଅଧିକାରୀ ଧୀରେନ୍ଦ୍ର ବ୍ୟାସ ଏବଂ ଅସିତ ଖାରେଙ୍କ ନେତୃତ୍ୱରେ ବଳପୂର୍ବକ ଜାଗା ମାଡ଼ି ବସିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ଉଚ୍ଛେଦ ଅଭିଯାନ ଚଳାଉଥିଲେ। ସେହି ସମୟରେ ବିଧାୟକ ଆକାଶ ଓ ତାଙ୍କ ସମର୍ଥକଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ଅଫିସର। ଏହାପରେ ତୁରନ୍ତ ଜାଗା ଛାଡ଼ି ଯିବା ପାଇଁ ସରକାରୀ ଅଫିସରଙ୍କୁ ଧମକ ଦେଇଥିଲେ ବିଜେପି ବିଧାୟକ। ଯୁକ୍ତିତର୍କ ସମୟରେ ଏକ କ୍ରିକେଟ ବ୍ୟାଟରେ ଅଫିସରଙ୍କୁ ବିଧାୟକ ପିଟିଥିବାର ଦୃଶ୍ୟ ରେକର୍ଡ ହୋଇ ଭାଇରାଲ ହୋଇଥିଲା।