ଗାନ୍ଧି ପରିବାର ‘ମ୍ୟୁଜିକାଲ୍ ଚେୟାର୍’ ଖେଳୁଛନ୍ତି: ବିଜେପି

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତିକୁ ତାଚ୍ଛଲ୍ୟ କରିଛି ବିଜେପି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଗାନ୍ଧି ପରିବାର ଲୋକେ ନିଜ ନିଜ ଭିତରେ ‘ମ୍ୟୁଜିକାଲ୍ ଚେୟାର୍’ ଖେଳ ଖେଳୁଛନ୍ତି। ସେ କହିଛନ୍ତି ସୋନିଆ ପୁଣି ଥରେ କଂଗ୍ରେସକୁ ଉଦ୍ଧାର କରିବାକୁ ଆସିବାର ଅର୍ଥ ରାହୁଲ ଗାନ୍ଧିଙ୍କୁ ସେମାନେ ସଭାପତି କରି ଭୁଲ୍‌ କରିଥିଲେ ବୋଲି ପ୍ରମାଣିତ ହୋଇଛି।

ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି, “ବୁଲି ବୁଲି ସେମାନେ (କଂଗ୍ରେସ ନେତାମାନେ) ଗାନ୍ଧି ପରିବାର ସଦସ୍ୟଙ୍କ ପାଖରେ ପହଞ୍ଚୁଛନ୍ତି। ବିଜେପିରେ ଦଳ ହିଁ ପରିବାର, କିନ୍ତୁ କଂଗ୍ରେସ କ୍ଷେତ୍ରରେ ପରିବାର ହିଁ ଦଳ।”

କଶ୍ମୀର ବାବଦରେ ରାହୁଲଙ୍କ ମନ୍ତବ୍ୟ ହିଂସାକୁ ଉସକାଇବା ଭଳି ବୋଲି ସେ କହିଛନ୍ତି।ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି, “ଶେହଜାଦା(ରାହୁଲ) ହିଂସା ପାଇଁ ଏତେ ଆଗ୍ରହୀ କ’ଣ ପାଇଁ? ଯେତେବେଳେ ବି ଦେଶରେ ଶାନ୍ତି ଥିବ, ରାହୁଲଙ୍କୁ ତାହା ଭଲ ଲାଗେନି। କଶ୍ମୀରରେ ବର୍ତ୍ତମାନ ଶାନ୍ତି ଅଛି। କଂଗ୍ରେସ ମଧ୍ୟ ଶାନ୍ତିରେ ରହିବା ଦରକାର।”