ଅରୁଣାଚଳରେ ବିଜେପିର ଐତିହାସିକ ବିଜୟ

ଇଟାନଗର: ଅରୁଣାଚଳ ପ୍ରଦେଶର ମୋଟ ୬୦ ବିଧାନସଭା ଆସନରୁ ୪୦ଟିରେ ବିଜୟଲାଭ କରି ବିଜେପି ପ୍ରଥମ ଥର ପାଇଁ ପୂର୍ଣ୍ଣବହୁମତ ହାସଲ କରିଛି। ଅନ୍ୟପକ୍ଷରେ କେନ୍ଦ୍ରରେ ବିଜେପିର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ମାତ୍ର ଏଠାରେ ମାତ୍ର ୫ଟି ଆସନରେ ସନ୍ତୁଷ୍ଟ ରହିଛି। ଅନ୍ୟ ଦଳମାନେ ୧୩ଟି ଆସନରେ ଜିତିଛନ୍ତି। ବର୍ତ୍ତମାନ ମଧ୍ୟ ଗଣତି ଚାଲୁ ରହିଛି।

ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ କ୍ଷମତା ଦଖଲ କରିଥିବାବେଳେ ଏଥର ମ୍ୟାଜିକ ନମ୍ବରରୁ ବହୁତ ଅଧିକ ଆସନରେ ଜିତିସାରିଛି। ଫଳରେ ପ୍ରଥମ ଥର ପାଇଁ ଦଳ ଅରୁଣାଚଳ ପ୍ରଦେଶରେ କୌଣସି ମେଣ୍ଟ ଉପରେ ବା ଅନ୍ୟ ଦଳଙ୍କ ଉପରେ ନିର୍ଭର ନକରି ନିଜ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବ।

ଅରୁଣାଚଳ ପ୍ରଦେଶରେ ନୂଆ ମୁହଁ ଭାବରେ ଉଭା ହୋଇଥିବା ଜେଡିୟୁ ଶେଷ ଖବର ସୁଦ୍ଧା ୭ଟି ଆସନରେ ଜିତିଛି। ଅନ୍ୟପକ୍ଷରେ ଏନ୍‌ପିପି ୪ଟି ଆସନରେ ସନ୍ତୁଷ୍ଟ ରହିଛି ଏବଂ ଅରୁଣାଚଳର ଆଞ୍ଚଳିକ ଦଳ ପିପୁଲ୍ସ ପାର୍ଟି ଅଫ୍‌ ଅରୁଣାଚଳ ଗୋଟିଏ ଆସନ ହାତେଇ ପାରିଛି। ପ୍ରମୁଖ ବିଜେପି ନେତାଙ୍କ ମଧ୍ୟରେ ପେମା ଖାଣ୍ଡୁ ମୁକ୍ତୋ ଆସନରୁ ଜିତିଛନ୍ତି। ସମ୍ମାନଜକ ତାୱଙ୍ଗରେ ବିଜେପି ନେତା ସେରିଙ୍ଗ ତାଶି କଂଗ୍ରେସ ନେତା ଥୁପ୍‌ଟେନ୍‌ ଟେମ୍ପାଙ୍କୁ ୩,୫୯୨ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି।