ମଣିପୁରରେ ଫୁଟିଲା ପଦ୍ମ, ବୀରେନ୍‌ ସିଂହ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରରେ ପ୍ରଥମ ଥର ପାଇଁ ଫୁଟିଲା ପଦ୍ମ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ବିଧାୟକ ଦଳ ନେତା ଏନ୍. ବୀରେନ୍‌ ସିଂହ। ରାଜ୍ୟପାଳ ନଜମା ହେପତୁଲ୍ଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ମଣିପୁରରେ ବିଜେପି ୨୧ଟି ଆସନରେ ଜିତିଥିବା ବେଳେ ନ୍ୟାସନାଲ ପିପୁଲ୍ସ ପାର୍ଟିର ୪ ବିଧାୟକ, ନାଗା ପିପୁଲ୍ସ ଫ୍ରଣ୍ଟର ୪ ବିଧାୟକ, ଏଲଜେପିର ଜଣେ ଓ ଅନ୍ୟ କିଛି  ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା ଦଳ ଦାବି କରିଛି। ୬୦ଟି ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ  କଂଗ୍ରେସ ୨୮ଟି ସିଟ୍‌ ହାସଲ କରି ସର୍ବ ବୃହତ୍ତ ଦଳର ମାନ୍ୟତା ହାସଲ କରିଥିଲେ ବି ସରକାର ଗଠନ କରିବାରେ ସଫଳ ହୋଇନାହିଁ।

ବୀରେନ୍ ସିଂହ ଜଣେ ଫୁଟ୍‌ବଲ୍ ଖେଳାଳି ଥିଲେ। ସେ ଜଣେ ସାମ୍ବାଦିକ ମଧ୍ୟ ଥିଲେ। ସେ ପ୍ରଥମେ କଂଗ୍ରେସରେ ଥିଲେ। ଗତ ବର୍ଷ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କର ସେ ଖୁବ୍ ନିକଟତର ଭାବେ ଜଣାଶୁଣା ଥିଲେ।