ଓଡ଼ିଶାରେ ବିଜେପି ୧୩, ବିଜେଡି ୬ ଓ କଂଗ୍ରେସ ୨!

ଲୋକସଭା ନିର୍ବାଚନରେ ବିଜେପିକୁ ମିଳିବ ଏମିତି ସଫଳତା!

ନୂଆଦିଲ୍ଲୀ: ଯଦି ଏବେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ, ତା’ହେଲେ ଓଡ଼ିଶାରେ ବିଜେପିକୁ ମିଳିବ ଅଭୂତପୂର୍ବ ସଫଳତା। ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ଏକା ୧୩ଟି ପୋଛି ନେବ। ବାକି ୮ଟିରୁ ବିଜେଡିକୁ ୬ଟି ଓ କଂଗ୍ରେସକୁ ୨ଟି ଆସନ ମିଳିବ। ଏପରି ରିପୋର୍ଟ ଏବିପି ନ୍ୟୁଜ୍‌ ଓ ସି-ଭୋଟର ସର୍ଭେରେ ଦର୍ଶାଯାଇଛି।

ସର୍ଭେରେ କୁହାଯାଇଛି, ଯଦି ଏବେ ନିର୍ବାଚନ ହୁଏ, ତା’ହେଲେ ମୋଟ ୫୪୩ ଲୋକସଭା ଆସନରୁ ୨୭୬ଟି ଏନ୍‌ଡିଏ ଖାତାକୁ ଯିବାର ସମ୍ଭାବନା ରହିଛି। ବିଜେପି ଏକାକୀ ୨୪୮ଟି ଆସନ ପାଇବ।

ସେହିପରି ୟୁପିଏକୁ ୧୧୨ ଓ ଅନ୍ୟମାନଙ୍କୁ ୧୫୫ ସିଟ୍ ମିଳିପାରେ।

୨୦୧୪ ନିର୍ବାଚନ ତୁଳନାରେ ଏନ୍‌ଡିଏର ଭୋଟ୍‌ହାର ୨ ପ୍ରତିଶତ କମିବ। ୟୁପିଏର ଭୋଟ୍ ହାର ବଢ଼ିବ। ୨୦୧୪ରେ ଏନ୍‌ଡିଏର ଭୋଟ୍ ହାର ୪୦ ପ୍ରତିଶତ ଥିଲା। ତେବେ ଏହା ୩୮ ପ୍ରତିଶତକୁ ଖସିବ। ଗତଥର ୟୁପିଏର ଭୋଟ୍ ହାର ୨୪ ପ୍ରତିଶତ ଥିଲା। ଏବେ ନିର୍ବାଚନ ହେଲେ ଏହା ୨୫ ପ୍ରତିଶତକୁ ବଢ଼ିବ ବୋଲି ସର୍ଭେରେ କୁହାଯାଇଛି।

ସର୍ଭେରେ କୁହାଯାଇଛି, ଉତ୍ତରପ୍ରଦେଶରେ କଂଗ୍ରେସ ଯଦି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସହ ମହାମେଣ୍ଟ କରିବାରେ ସଫଳ ହୁଏ, ତେବେ ଲାଭବାନ ହେବ। ଏମିତି ହେଲେ ରାଜ୍ୟର ୮୦ଟି ସିଟ୍‌ରୁ ମହାମେଣ୍ଟ ୫୬ଟି ହାତେଇ ପାରିବ ବୋଲି କୁହାଯାଇଛି। ଯଦି ମେଣ୍ଟ ନହୁଏ, ତେବେ ବିଜେପି ପୁଣି ଥରେ ଅଧିକାଂଶ ସିଟ୍ ପୋଛିନେବ।