ଅଫିସରଙ୍କୁ ବ୍ୟାଟରେ ପିଟିଲେ ବିଜେପି ବିଧାୟକ

ଇନ୍ଦୋର: କ୍ରିକେଟ୍ ବ୍ୟାଟରେ ମ୍ୟୁନିସିପାଲଟି ଅଧିକାରୀଙ୍କୁ ପିଟିଲେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିଆ। ଇନ୍ଦୋର-୩ର ବିଧାୟକ ଓ ତାଙ୍କ ସମର୍ଥକମାନେ କ୍ୟାମେରା ସାମ୍ନାରେ ସରକାରୀ ଅଧିକାରୀଙ୍କୁ ବାଡ଼ଉଥିବା ବେଳେ ସ୍ଥାନୀୟ ପୁଲିସ କିଛି ସମୟ ପାଇଁ ଦେଖଣାହାରୀ ପାଲଟିଥିଲା ବୋଲି ସୂଚନା ରହିଛି। ସୋଶାଲ ମିଡିଆରେ ଏବେ ଏହି ବିଜେପି ବିଧାୟକଙ୍କ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଚାଲିଛି। ବିଧାୟକଙ୍କ ବାପା କୈଳାଶ ବିଜୟଭର୍ଗିଆ ଦଳର ବରିଷ୍ଠ ବିଧାୟକ ସହ ଦେଶର ଜଣେ ପ୍ରମୁଖ ନେତା।

ସୂଚନାଯୋଗ୍ୟ, ଆଜି ଇନ୍ଦୋର ମ୍ୟୁନିସିପାଲଟି ଅଧିକାରୀ ଧୀରେନ୍ଦ୍ର ବ୍ୟାସ ଏବଂ ଅସିତ ଖାରେଙ୍କ ନେତୃତ୍ୱରେ ବଳପୂର୍ବକ ଜାଗା ମାଡ଼ି ବସିଥିବା ଅଧିକାରୀଙ୍କ ବିରୋଧରେ ଏକ ଅଭିଯାନ ଚଳାଉଥିଲେ। ଏହାପରେ ବିଧାୟକ ଆକାଶ ଓ ତାଙ୍କ ସମର୍ଥକଙ୍କ ସହ ସାମ୍ନାସାମ୍ନୀ ହୋଇଥିଲେ ଅଫିସର। ଏହାପରେ ତୁରନ୍ତ ଜାଗା ଛାଡ଼ି ଯିବା ପାଇଁ ସରକାରୀ ଅଫିସରଙ୍କୁ ଧମକ ଦେଇଥିଲେ ବିଜେପି ବିଧାୟକ। ଏହାପରେ କ୍ରିକେଟ ବ୍ୟାଟରେ ଅଫିସରଙ୍କୁ ବିଧାୟକ ଓ ତାଙ୍କ ସମର୍ଥକମାନେ ପିଟିଥିଲେ। ସ୍ଥାନୀୟ ପୁଲିସ କିଛି ସମୟ ପାଇଁ ନିରବ ରହିବା ପରେ ବିଧାୟକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି।

ପୁଲିସ ଅଧିକାରୀ ରୁଚି ବର୍ଧନ ବିଧାୟକ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଥିବା କହିଛନ୍ତି। ନିକଟରେ ଓଡ଼ିଶାରେ ମଧ୍ୟ ବଲାଙ୍ଗିର ପାଟନାଗଡ ବିଜେଡି ବିଧାୟକ ସରୋଜ ମେହେର ଜଣେ ଇଞ୍ଜିନିୟରଙ୍କୁ ବସଉଠ କରିଥିଲେ। ଏବେ ସେ ଜେଲରେ ଅଛନ୍ତି।