ଦଳୀୟ ବିଧାୟକଙ୍କ ସହ କ୍ରିକେଟ୍ ଖେଳିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ରାୟ ଆସିବା ପୂର୍ବରୁ କର୍ଣ୍ଣାଟକା ବିଜେପି ସଭାପତି ବି.ଏସ୍ ୟେଦ୍ଦୁରପ୍ପା ରିଲାକ୍ସ ମୁଡ୍‌ରେ ଥିବା ଦେଖିବାକୁ ମିଳିଛି।  ବେଙ୍ଗାଲୁରୁ ସହରଠୁ ଦୂରରେ ଥିବା ଏକ ରିସୋର୍ଟରେ ଦଳୀୟ ବିଧାୟକଙ୍କ ସହ ସେ  କ୍ରିକେଟ୍ ଖେଳିଛନ୍ତି। ଆଉ ରାଜ୍ୟ ବିଜେପିର ମିଡିଆ ସେଲ୍ ପକ୍ଷରୁ ଏହାର ଫଟୋକୁ ସାର୍ବଜନୀନ କରାଯାଇଛି।

ମେଣ୍ଟ ସରକାରରେ ଅସ୍ଥିରତା ଦେଖାଦେବା ପରେ ରାଜ୍ୟ ବିଜେପି ସଭାପତି ୟେଦ୍ଦୁରପ୍ପା ଖୁବ୍‌ ବ୍ୟସ୍ତ ରହୁଥିଲେ। ଆଜି (ବୁଧବାର) କଂଗ୍ରେସ-ଜେଡିଏସର ୧୫ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ମଙ୍ଗଳବାର ସେ କ୍ରିକେଟ୍ ଖେଳିବାରେ ସମୟ ବିତାଇଥିଲେ।

ଏଥିସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏଚଡିକେ କୁମାରସ୍ୱାମୀ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେପି ବିଧାୟକ ଏହି ରିସୋର୍ଟରେ ଏକାଠି ରଖାଯାଇଛି।

କଂଗ୍ରେସ ଓ ଜେଡିଏସରୁ ଏଯାଏ ୧୬ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି। ଜଣେ ବିଧାୟକ ଜୁଲାଇ ଆରମ୍ଭରେ ଇସ୍ତଫା ଦେଇଥିଲେ ଓ ତାଙ୍କର ଇସ୍ତଫା ଗୃହୀତ ହୋଇସାରିଛି। ସେହିପରି ବାକି ୧୫ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୧୨ ଏବଂ ଜେଡିଏସର ୩ ବିଧାୟକ ରହିଛନ୍ତି। ସେହିପରି ମେଣ୍ଟ ସରକାରକୁ ସମର୍ଥନ ଦେଉଥିବା ୨ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।