ଭିକେ ସିଂଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ: ସଂସଦରେ ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସାଂସଦଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂଙ୍କ କୁକୁରକୁ ପଥର ଫିଙ୍ଗା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ସୋମବାର ସଂସଦରେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଗାନ୍ଧିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସମୟରେ କଂଗ୍ରେସ ନେତାମାନେ ଭି.କେ ସିଂଙ୍କ ମନ୍ତବ୍ୟର ନିନ୍ଦା କରିବା ସହ ମୋଦି ସରକାର ବିରୋଧୀ ନାରାବାଜି ଦେଇଥିଲେ। ଅକ୍ଟୋବର ୨୨ତାରିଖରେ ହରିୟାଣାରେ ୨ଜଣ ଦଳିତ ସମ୍ପ୍ରଦାୟର ବାଳକଙ୍କୁ ପୋଡ଼ି ଦିଆଯିବା ଘଟଣାରେ ଭିକେ ସିଂ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ସମସ୍ତ ଘଟଣାରେ କେନ୍ଦ୍ରକୁ ଦାୟୀ କରୁଛନ୍ତି। କେହି କୁକୁରକୁ ପଥର ଫିଙ୍ଗିଲେ, ସେଥିରେ କୁକୁରର କୌଣସି ଭୁଲ ନ ଥାଏ। କଂଗ୍ରେସ ପକ୍ଷରୁ ଭିକେ ସିଂଙ୍କ ଏହି ମନ୍ତବ୍ୟକୁ ନିନ୍ଦା କରାଯିବା ସହ ଦଳିତ ସମ୍ପ୍ରଦାୟ ପ୍ରତି ଏହା ଏକ ଅପମାନ ସୂଚକ ମନ୍ତବ୍ୟ ବୋଲି କୁହାଯାଇଥିଲା।