ଆଖି ବୁଜିବା ମାତ୍ରେ ଧ୍ୱସଂ ହୋଇଗଲା ୮୬ବର୍ଷର ପୁରୁଣା ବ୍ରିଜ୍‌

ନୂଆଦିଲ୍ଲୀ: ଆଖି ବୁଜି ଖୋଲିଲା ବେଳକୁ ନ ଥିଲା ଲେକ୍‌ବର୍କଲ ବ୍ରିଜ୍‌ । ୟୁଏସ୍‌ଏର “old lake barkeley bridge” ନାମରେ ପ୍ରସିଦ୍ଧ ଏହି ପୋଲ ବୁଧବାର ସକାଳେ ଗୋଟିଏ ବିସ୍ଫୋରଣରେ ଧ୍ୱଂସ ହୋଇଯାଇଛି। ୮୬ ବର୍ଷ ପୁରୁଣା ଏହି ପୋଲ ବିସ୍ଫୋରଣ ହେଉଥିବା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆଖି ସାମ୍ନାରେ ୧୫୦୦ ଫୁଟ୍‌ ଉଚ୍ଚତାର ବ୍ରିଜଟି କିଭଳି ଧୂଳିସାତ୍‌ ହେଉଛି ତାହା ସମସ୍ତଙ୍କୁ ଆକର୍ଷିତ କରୁଛି।

ସୂଚନାଯୋଗ୍ୟ, ୧୯୩୨ରେ ଏହି ବ୍ରିଜ୍‌ଟି ନିର୍ମାଣ ହୋଇଥିଲା। ୮୬ ବର୍ଷର ଏହି ପୁରୁଣା ବ୍ରିଜ୍‌ଟି ଦୁର୍ବଳ ହୋଇଯିବାରୁ ଏହାକୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା। ଏପରିକି ଏହାକୁ ଫେବ୍ରୁଆରୀ ମାସରୁ ସାଧାରଣ ଲୋକଙ୍କ ଲାଗି ନିଷିଦ୍ଧ କରାଯାଇଥିଲା। ଫଳରେ ବିସ୍ଫୋରଣରେ ଏହାକୁ ଭାଙ୍ଗି ଦେବାକୁ ଯୋଜନା ହୋଇଥିଲା।

୧୫୦୦ ଫିଟ୍‌ ଉଚ୍ଚର ଏହି ବ୍ରିଜ୍‌କୁ ଉଡାଇବା ଲାଗି ପୂର୍ବରୁ ଡଙ୍ଗା ଓ ଜାହାଜ ଗମନାଗମନକୁ ନିଷେଧ କରାଯାଇଥିଲା। ବୁଧବାର ସକାଳେ ଆରମ୍ଭ ହୋଇଥିଲା ବିସ୍ଫୋରଣ। ଏହି ଧ୍ୱସଂର ଭିଡିଓକୁ କେନଟକି ଟ୍ରାନ୍ସପୋର୍ଟ କ୍ୟାବିନେଟ୍‌ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଯେଉଁଥିରେ କିଛି ସେକେଣ୍ଡ ମଧ୍ୟରେ ବ୍ରିଜ୍‌କୁ ଉଡାଇ ଦିଆଯିବାର ଦୃଶ୍ୟ ରହିଛି।