ସ୍କ୍ରାପ୍‌ ଭାଙ୍ଗିବା ବେଳେ ବିସ୍ଫୋରଣ: ୨ ମୃତ, ୫ ଗୁରୁତର

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ଆଜି ସକାଳୁ ଏକ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ପୋଲିସ ମୃତକ ଦ୍ୱୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସିଭିଲ୍‌ ଲାଇନ୍‌ ଥାନା ଅନ୍ତର୍ଗତ ସରବରପାରି ନିକଟରେ ଥିବା ଏକ କବାଡିଆ ଦୋକାନରେ ପୁରୁଣା ସ୍କ୍ରାପ୍‌ ଭଙ୍ଗାଯିବା ବେଳେ ଏହି ବ୍ଲାଷ୍ଟ ହୋଇଥିଲା। ଘଟଣା ସ୍ଥଳରେ ଇନ୍ଦିରା କଲୋନୀର ତାଜିମ ଏବଂ ଶହଜାଦଙ୍କ ମୃତ୍ୟୁ ଘଟିଥିଲା। ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ୟୁସୁଫ ଏବଂ ନୱାଜିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମେରଠ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ଘଟଣା ସ୍ଥଳରେ ଯାଞ୍ଚ ଚଲାଇଛି।