ପିଏଚ୍‌ଡି କରୁଥିବା ସୁଇପର୍‌ଙ୍କୁ ଚାକିରିରୁ ବାହାର କରି ଦେଲା ବିଏମ୍‌ସି

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ପରିଚାଳନା କରୁଥିବା ବୃହନମୁମ୍ବାଇ ନଗର ନିଗମ ବା ବିଏମ୍‌ସି ତା’ର ସବୁଠୁ ଅଧିକ ପାଠୁଆ କର୍ମଚାରୀ ସୁନୀଲ ଯାଦବଙ୍କୁ ଚାକିରିରୁ ବିଦା କରି ଦେଇଛି। ସୁନୀଲ ସୁଇପର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରେ ପିଏଚ୍‌ଡି କରୁଛନ୍ତି।

ସୁନୀଲ ବଦଳି ଚାହୁଁଥିଲେ। ପ୍ରତିଦିନ ଗ୍ରାଣ୍ଟ୍ ରୋଡ୍ ସ୍ଥିତ ଅଫିସ୍‌କୁ ଆସିବାକୁ ତାଙ୍କୁ ତିନିଟି ଟ୍ରେନ୍ ବଦଳାଇବାକୁ ପଡ଼ୁଥିଲା ଓ ଅଧିକ ସମୟ ଅପଚୟ ହେଉଥିଲା। ସେହି ସମୟ ବଞ୍ଚାଇ ସେ ପାଠ ପଢ଼ାରେ ବ୍ୟୟ କରିବାକୁ ଚାହୁଁଥିଲେ। ସେଥିପାଇଁ ତାଙ୍କୁ ବଦଳି କରିବାକୁ ସେ ଆବେଦନ କରିଥିଲେ।

ବିଏମ୍‌ସି ତାଙ୍କୁ ଚାକିରିରୁ ବାହାର କରି ଦେବା ପରେ ସୁନୀଲ ଜାତିଆଣ ଭେଦଭାବ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ସୁନୀଲ ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ବାଣିଜ୍ୟ, କଳା (ସାମ୍ବାଦିକତା)ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ଗ୍ଲୋବାଲାଇଜେସନ୍ ଆଣ୍ଡ ଲେବରରେ ଏମ୍‌ଏ କରିଛନ୍ତି। ତା’ପରେ ସେ ଏମ୍‌ଫିଲ୍‌ କରିଥିଲେ। ଏହା ପରେ ସେ ସେଠାରେ ପିଏଚ୍‌ଡି କରୁଛନ୍ତି। ସେ ବହୁତ ଗରିବ ପରିବାରରୁ ଆସିଛନ୍ତି। ଆର୍ଥିକ ସ୍ଥିତି ଠିକ୍ ନ ଥିବା ସତ୍ତ୍ୱେ ସେ ପାଠପଢ଼ା ଜାରି ରଖିଛନ୍ତି।