ମେଧାବୀ ସାଜିଲେ ବାବାଜୀ: ଗୁଜରାଟର ଟପ୍ପର ନେଲେ ଜୈନ ଭିକ୍ଷୁର ଦୀକ୍ଷା, ପଢନ୍ତୁ ପରିବର୍ତ୍ତନର କାହାଣୀ

ଅହମଦାବାଦ: ଅତ୍ୟାଧୁନିକ ଯୁଗରେ ଆଧ୍ୟାତ୍ମିକବାଦ୍। ଜିନ୍ସ ପ୍ୟାଣ୍ଟରୁ ଧଳା ଧୋତି। ସଂସାରରୁ ବୈରାଗ୍ୟ। ଏ ଏମିତି ଏକ କାହାଣୀ ଯାହା ଆପଣଙ୍କ ମନକୁ ବଦଳାଇ ଦେବ। ଏ ଏମିତି ଏକ ପରିବର୍ତ୍ତନ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଦିନେ ସମସ୍ତଙ୍କୁ ପଛରେ ପକାଇ ଦେଇଥିବା ଯୁବକ ଆଜି ସମସ୍ତଙ୍କୁ ଛାଡ଼ି ଦେବାକୁ ଜିଦ୍ କରିଛନ୍ତି। ଦିନେ ସବୁଠୁ ଆଗରେ ଥିବା ଯୁବକ, ପ୍ରତିଯୋଗିତାର ଭିଡ଼ରୁ ନିଜକୁ ଦୂରେଇ ଦେବାକୁ ଅଡ଼ି ବସିଛନ୍ତି।

jain 3 ସାଂସାରିକ ମୋହମାୟାକୁ ତ୍ୟାଗ କରି ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରିଛନ୍ତି। ଗୁଜରାଟର ବର୍ଷିଲ ଶାହ। ଗୁରବାର ସୁରତର ତାପୀ ନଦୀ କୂଳରେ ହୋଇଥିବା ଜୈନ ଦୀକ୍ଷା ସମାରୋହରେ ସନ୍ନ୍ୟାସୀ ଭାବେ ନୂଆ ଜୀବନ ଆରମ୍ଭ କରିଛନ୍ତି। ପୂରା ରାଜକୀୟ ଢଙ୍ଗରେ ଏହି ସମାରୋହ ସମ୍ପନ୍ନ ହୋଇଥିଲା। ବର୍ଷିଲଙ୍କୁ ରାଜକୁମାର ଭଳି ସଜ୍ଜିତ କରିବା ପରେ ଦୀକ୍ଷା ପ୍ରକିୟା ଆରମ୍ଭ ହୋଇଥିଲା। ପୂଜା ପରେ ନିଜ ରାଜକୀୟ ପୋଷାକକୁ ମାଆଙ୍କ ହାତରେ ସମର୍ପି ଦେଇ ଧଳା ବସ୍ତ୍ରକୁ ସବୁଦିନ ପାଇଁ ଗ୍ରହଣ କରିଥିଲେ ବର୍ଷିଲ। ଧଳା ପୋଷାକ ପିନ୍ଧିବା ସଙ୍ଗେ ସଙ୍ଗେ ନାମ ମଧ୍ୟ ପରିବର୍ତ୍ତନ ହୋଇଥିଲା ଏହି ଉଚ୍ଚଶିକ୍ଷିତ ଜୈନ ଭିକ୍ଷୁକଙ୍କର। ସୁବ୍ରିୟରତ୍ନ ବିଜୟଜୀ ମହାରାଜ ନାମର ପରିଚୟ ନେଇ ଏବେଠୁ ବଞ୍ଚିବା ଆରମ୍ଭ କରିବେ ବର୍ଷିଲ।

jain 2ଏହି  ଗତ କିଛିଦିନ ଧରି ବର୍ଷିଲଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ବର୍ଷିଲ ଗୁଜରାଟର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୯.୯% ନମ୍ୱର ରଖି ଟପ୍ପର ହୋଇଥିଲେ। ଟପ୍ପର ହେବା ପରେ ଗଣମାଧ୍ୟମକୁ ଦେଇଥିବା ବୟାନକୁ ନେଇ ସେ ଚର୍ଚ୍ଚିତ ହୋଇଥିଲେ। ସେ ଉଚ୍ଚଶିକ୍ଷା ନ ପଢି ବରଂ ଜୈନ ଭିକ୍ଷୁକ ଭଳି ସରଳ ଜୀବନଯାପନ କରିବାର ପଥକୁ ବାଛି ନେଇଥିଲେ। ଜୈନ ଭିକ୍ଷୁକ ହେବା ପାଇଁ ସେ ତିନି ବର୍ଷ ପୂର୍ବରୁ ମନ ବଳାଇ ସାରିଥିଲେ। କେବଳ ଅପେକ୍ଷା ଥିଲା କେବେ ଶେଷ ହେବ ପାଠ ପଢା। ପଢା ସରୁ ସରୁ ସେ ଏପରି ନିଷ୍ପତ୍ତି ନେଇ ସମସ୍ତଙ୍ଗୁ ଆଚମ୍ୱିତ କରି ଦେଇଥିଲେ। ଆଧୁନିକ ଯୁଗକୁ ପାଦରେ ଆଡେଇ ଦେଇ ସେ ବାଛି ନେଇଥିଲେ ଆଧ୍ୟାତ୍ମିକ ଦୁନିଆକୁ।

ବେଶ୍ ସରଳ ଜୀବନଯାପନ ଅତିବାହିତ କରୁଥିବା ବର୍ଷିଲଙ୍କ ପରିବାର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଧୁନିକତାର ସ୍ପର୍ଶ ଏଯାଏଁ ଛୁଇଁ ପାରିନି ଏହି ପରିବାରକୁ। ଏପରିକି ଫ୍ରିଜ କିମ୍ୱା ଟିଭି ମଧ୍ୟ ନାହିଁ ବର୍ଷିଲଙ୍କ ଘରେ। ପୂରା ପରିବାର ଜୈନ ଧର୍ମରେ ଦୀକ୍ଷିତ। ବର୍ଷିଲଙ୍କ ଏହି ନିଷ୍ପତ୍ତିରେ ମଧ୍ୟ ବେଶ୍ ଖୁସି ଅଛନ୍ତି ତାଙ୍କ ପିତାମାତା।