ସ୍ୱତନ୍ତ୍ର ଗୀତରେ ପୁଲୱାମା ସହିଦଙ୍କୁ ବଲିଉଡ୍‌ର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆସନ୍ତାକାଲି ସ୍ୱାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଚଳିତ ବର୍ଷ ଫେବୃଆରୀ ମାସରେ ପୁଲୱାମା ଠାରେ ହୋଇଥିବା ଆତଙ୍କୀ ଆକ୍ରମଣ ଘଟଣା ଏଯାଏ କେହି ବି ଭୁଲି ନାହାନ୍ତି।

ଏହି ଆତଙ୍କୀ ଆକ୍ରମଣରେ ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ। ସ୍ୱାଧୀନତା ଦିବସ ପୂର୍ବରୁ ଏହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବଲିଉଡ୍‌ର ନାମୀଦାମୀ କଳାକାର ଏକାଠି ହୋଇଛନ୍ତି। ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହାରୁଖ ଖାନ୍‌, ଆମୀର ଖାନ୍‌, ଐଶର୍ଯ୍ୟା ରୟ ବଚ୍ଚନ, ଟାଇଗର ଶ୍ରଫ, କାର୍ତ୍ତିକ ଆରିଅନ ଓ ରଣବୀର କପୁର ମିଳିତ ଭାବେ ପୁଲୱାମା ସହିଦଙ୍କୁ ଏକ ସ୍ୱତନ୍ତ୍ର ଗୀତ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଗୀତର ଶୀର୍ଷକ ‘ତୁ ଦେଶ ହୈ ମେରା’ ରହିଛି।

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ସିଆରପିଏଫ୍‌ ପକ୍ଷରୁ ଏହି ଗୀତର ପୋଷ୍ଟର ରିଲିଜ୍‌ କରାଯାଇଛି। ଏଥିରେ କୁହାଯାଇଛି ଯେ “ ପୁଲୱାମା ସହିଦଙ୍କ ପାଇଁ ବଲିଉଡ୍‌ ପକ୍ଷରୁ ‘ତୁ ଦେଶ ହୈ ମେରା’ ଗୀତର ଶୁଟିଂ କରାଯାଇଛି। ଆଜି ଏହାର ଅଫିସିଆଲ ପୋଷ୍ଟର ରିଲିଜ୍‌ ହୋଇଛି।”

ଏହି ପୋଷ୍ଟରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ୍‌, ଆମୀର ଖାନ୍‌, ଐଶର୍ଯ୍ୟା ରୟ ବଚ୍ଚନ, ଟାଇଗର ଶ୍ରଫ, କାର୍ତ୍ତିକ ଆରିଅନ ଓ ରଣବୀର କପୁର ରହିଛନ୍ତି। ଜାଭେଦ ଅଲୀ, ଜୁବିନ ନୌଟିଆଲ, ଶଦାବ ଶବିର ଓ କବିର ସିଂହଙ୍କ ଭଳି ସିଙ୍ଗରମାନେ ଏହି ଗୀତରେ କଣ୍ଠଦାନ କରିଛନ୍ତି। ସମ୍ଭବତଃ ଆସନ୍ତାକାଲି ଏହି ଗୀତ ରିଲିଜ ହେବ।