ଫସର ଫାଟିଗଲା; ଆକ୍ରମଣ ପୂର୍ବରୁ ଫୁଟି ଗଲା ବୋମା

ପାଟନା: ବିହାରର ଆରା ଜିଲ୍ଲାକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ତେବେ ଟାର୍ଗେଟ ପୂରଣ କରିବା ପୂର୍ବରୁ ଯୋଜନା ପଣ୍ଡ ହୋଇଯାଇଥିଲା। ଫୁଟି ଯାଇଥିଲା ବୋମା। ଆଉ ଏଥିରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଆହତ ହୋଇଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ପାଖରୁ ଗୋଟିଏ ପିସ୍ତଲ ଜବତ କରାଯାଇଛି।  ଆଉ ଚାରି ଜଣ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ପୋଲିସ୍ ସେମାନଙ୍କୁ ଖୋଜୁଛି।

ଆଜି ଭୋର ପ୍ରାୟ ୫ଟା ବେଳେ ୫ଜଣ ସନ୍ଦିଗ୍ଧ ଆତଙ୍କବାଦୀ କୋଲକତାରୁ ଆସି  ଆରାରେ ପହଞ୍ଚିଥିଲେ। ସେମାନେ ଆରାରେ ପହଞ୍ଚିବା ପରେ ଜେଲ୍ ରୋଡ୍ ସ୍ଥିତ ଏକ ଧର୍ମଶାଳାକୁ ଯାଇଥିଲେ। ସେଠାରେ ଜିନିଷପତ୍ର ରଖୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା କମ୍ ଥିଲା। ସେମାନଙ୍କ ପାଖରେ କମ୍ ଶକ୍ତିଶାଳୀ ବୋମା ଥିଲା ବୋଲି ପୋଲିସ୍ କହିଛି। ବିସ୍ଫୋରଣ ସୂଚନା ପାଇବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆତଙ୍କବାଦୀମାନେ ଆରା ଜେଲ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ବୋଲି କୁହାଯାଉଛି।

ଗତମାସ  ଜାନୁଆରୀରେ  ଆତଙ୍କବାଦୀମାନେ  ବୋଧଗୟାର ମହାବୋଧି ମନ୍ଦିର ଉପରେ ଆକ୍ରମଣ କରିବାକୁ  ଯୋଜନା କରିଥିଲେ। କିନ୍ତୁ ଏଥିରେ ବି ବିଫଳ ହୋଇଥିଲେ। ଆତଙ୍କବାଦୀମାନେ ମହାବୋଧି ମନ୍ଦିରରେ ପରିସରରେ  ବିସ୍ଫୋରକ ଲୁଚାଇ ରଖିଥିଲେ। ପୋଲିସ୍ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କଲା ବେଳେ ଏହି ବିସ୍ଫୋରକ ମିଳିଥିଲା।  ବିସ୍ଫୋରଣ ରଖିଥିବା ଦୁଇ ଆତଙ୍କବାଦୀଙ୍କୁ କୋଲକାତାରୁ ଗିରଫ କରାଯାଇଥିଲା।

୨୦୧୩ ମସିହା  ଜୁଲାଇ ୭ ତାରିଖରେ ଆତଙ୍କବାଦୀମାନେ ବୋଧଗୟାରେ  ସିରିଏଲ ବୋମା ବିସ୍ଫୋରଣ କରିଥିଲେ। ସେହିପରି ୨୦୧୪ ରେ ପାଟନାର ଗାନ୍ଧି ପଡ଼ିଆରେ ଆତଙ୍କବାଦୀମାନେ ବିସ୍ଫୋରଣ  ଘଟାଇଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More