ଟ୍ରେନ୍‌ରେ ବୋମା: ଆତଙ୍କବାଦୀ ଅବୁ ଦୁଜାନଙ୍କୁ ହତ୍ୟାର ପ୍ରତିଶୋଧ ଧମକ

କାନପୁର: ଏକ୍ସ୍ରପ୍ରେସ୍‌ ଟ୍ରେନ୍‌ରେ ବୋମା ଆତଙ୍କ। କୋଲକତାରୁ ଅମ୍ରିତଶର ଯାଉଥିବା ୧୨୩୧୭ ନମ୍ବର ବିଶିଷ୍ଟ  ଅକଲ ତଖତ୍‌ ଏକ୍ସପ୍ରେସରେ ବୋମା ଠାବ କରାଯାଇଛି। ତେବେ ଅଫୁଟା ଅବସ୍ଥାରେ ଏହି ବୋମାକୁ ନିସ୍କ୍ରିୟ କରାଯାଇଛି।  ଉତ୍ତରପ୍ରଦେଶର ଆମେଠି ଷ୍ଟେଶନରେ ଟ୍ରେନ୍‌ ଅଟକି ଥିବା ବେଳେ ଏହି ବୋମା ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟ ଆତଙ୍କ ଖେଳି ଯାଇଥିଲା। ସ୍ୱାଧୀନତା ଦିବସକୁ ଆଉ ୫ ଦିନ ବାକି ଥିବା  ବେଳେ ଏହା ପୂର୍ବରୁ ଏଭଳି ଆତଙ୍କବାଦ କାର୍ଯ୍ୟକଳାପ ସାମ୍ନାକୁ ଆସିଛି।

ବି-୩ କୋଚର ଟଏଲଟରୁ ଏହି ବୋମାର ସନ୍ଧାନ ମିଳିଥିବା ବେଳେ ଯାତ୍ରୀଙ୍କୁ ଖାଲି କରି ତୁରନ୍ତ ବୋମା ନିଷ୍କ୍ରିୟ ଦଳ ପକ୍ଷରୁ  ଏହାକୁ ଅକାମୀ କରାଯାଇଥିଲା। ଗତକାଲି ରାତି ଗୋଟାଏ ୧୪ରେ ଏହି ଘଟଣା ଘଟିଥିଲା।  ପ୍ରଥମେ ଯାତ୍ରୀମାନେ ଏ ସମ୍ପର୍କରେ ଜାଣିବା ପରେ ଟିଟିଇକୁ ଖବର ଦେଇଥିଲେ। ସେହିପରି ବୋମା ନିକଟରୁ ଏକ ହାତ ଲେଖା ଚିଠି ମଧ୍ୟ ଉଦ୍ଧାର କରାଯାଥିଲା।  ଚିଠିଟି ଆତଙ୍କବାଦୀ ସଙ୍ଗଠନ ଲସ୍କଇ-ଇ-ତୋଇବା ପକ୍ଷରୁ ଛଡ଼ାଯାଥିବା ଉଲ୍ଲେଖ ରହିଛି।

ଅବୁ ଦୁଜାନଙ୍କୁ ହତ୍ୟା ପ୍ରତିବାଦରେ ପ୍ରତିଶୋଧ ପାଇଁ ଏହି ବୋମା ରଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।  ଏହି ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନା ଅନୁଯାୟୀ ଅବୁ ଦୁଜାନ କୁଖ୍ୟାତ ଆତଙ୍କବାଦୀ ଥିଲେ। ସେ ଜମ୍ମୁ କଶ୍ମୀରର ଲସ୍କଇ-ଇ-ତୋଇବା ସଙ୍ଗଠନର ମୁଖ୍ୟ ଥିଲେ। ଗତ କିଛିଦିନ ତଳେ ପୋଲିସ ଏନ୍‌କାଉଣ୍ଟରରେ ଅବୁ ଦୁଜାନ ନିହତ ହୋଇଥିଲେ।