ଶାରୀରିକ ସଂପର୍କର ପ୍ରମାଣ ମିଳିଲା ନାହିଁ; ବାହାଘର ରଦ୍ଦ କଲେ କୋର୍ଟ

ମୁମ୍ବାଇ: ନଅ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। କିନ୍ତୁ ବିବାହର ପ୍ରଥମ ଦିନରୁ ହିଁ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଆଇନଗତ ଲଢ଼େଇ। ୯ ବର୍ଷ ଧରି ଏ ଲଢ଼େଇ ଚାଲିବା ପରେ ଶେଷରେ ବମ୍ବେ ହାଇକୋର୍ଟ ଏହି ବାହାଘରକୁ ରଦ୍ଦ କରି ଦେଇଛନ୍ତି। ଆଉ ଏଥିରେ ବିଜୟୀ ହୋଇଛନ୍ତି ସ୍ତ୍ରୀ। କାରଣ ସେ ହିଁ ଏହି ବାହାଘରକୁ ଗ୍ରହଣ କରିପାରୁ ନଥିଲେ। ସେ ଅଭିଯୋଗ କରିଥିଲେ ଯେ ଧୋକା ଦେଇ ଏକ ସାଧା କାଗଜରେ ତାଙ୍କର ଦସ୍ତଖତ ନେଇ ଏହି ବାହାଘର କରାଯାଇଥିଲା। ତେଣୁ ସେ ଏ ବାହାଘରକୁ ରଦ୍ଦ କରିବାକୁ ଚାହୁଁଥିଲେ। ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରୁଥିଲେ।

ଏହି ମାମଲାରେ ବମ୍ବେ ହାଇକୋର୍ଟ ରାୟ ଦେଇ କହିଥିଲେ ଯେ ଉକ୍ତ ମହିଳାଙ୍କୁ ଧୋକା ଦିଆଯାଇଥିବା ନେଇ କୌଣସି ପ୍ରମାଣ ନାହିଁ। ତେବେ  ଏହି ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସଂପର୍କ ରହିଥିବା ନେଇ କୌଣସି ପ୍ରମାଣ ମିଳିପାରି ନାହିଁ। ସେହି କାରଣରୁ ଏହି ବାହାଘରକୁ ରଦ୍ଦ କରାଯାଉଛି।

ଏହି ରାୟ ଦେଇ ଜଷ୍ଟିସ୍ ମୃଦୁଲା ଭାଟକର କହିଥିଲେ ଯେ ଏକ ବିବାହ କାଏମ ରହିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସଂପର୍କ ବହୁତ ଜରୁରୀ। ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସଂପର୍କ ନ ରହିଲେ ବାହାଘରର ଅର୍ଥ ମୂଲ୍ୟହୀନ ହୋଇଯାଏ। ଏପରିକି ବାହାଘର ପରେ ଯଦି ପତି-ପତ୍ନୀଙ୍କ ମଧ୍ୟରେ କେବଳ ଗୋଟିଏ ଥର ଶାରୀରିକ ସଂପର୍କ ସ୍ଥାପିତ ହୋଇଥାଏ, ତା’ହେଲେ ବି ଏହି ବାହାଘରକୁ ରଦ୍ଦ କରାଯାଇପାରିବ। ଏହି ମାମଲାରେ ପତି-ପତ୍ନୀ ଗୋଟିଏ ଦିନ ବି ଏକାଠି ରହିନାହାଁନ୍ତି। ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ଏହି ଆଧାରରେ ଉକ୍ତ ମହିଳାଙ୍କୁ ଏହି ବାହାଘରକୁ ଶେଷ କରିବା ପାଇଁ ଅନୁମତି ଦିଆଯାଇଛି।

ଉକ୍ତ ମହିଳାଙ୍କ ସ୍ୱାମୀ କୋର୍ଟଙ୍କ ନିକଟରେ ଦାବି କରିଥିଲେ ଯେ ସେମାନଙ୍କ ମଧ୍ୟରେ ଶାରୀରିକ ସଂପର୍କ ଥିଲା। ଏପରିକି ତାଙ୍କ ପତ୍ନୀ ଥରେ ଗର୍ଭବତୀ ହୋଇଥିଲେ। କିନ୍ତୁ ଏ ନେଇ ସେ କୋର୍ଟରେ ଆବଶ୍ୟକ ପ୍ରମାଣ ଦାଖଲ କରିପାରି ନଥିଲେ।

କୋର୍ଟ ଏ ବାହାଘରକୁ ରଦ୍ଦ କରିବା ପୂର୍ବରୁ ସେମାନଙ୍କ ମତଭେଦ ଦୂର କରିବାକୁ ଉଦ୍ୟମ କରିଥିଲେ। ତେବେ କୋର୍ଟ ଏଥିରେ ବିଫଳ ହୋଇଥିଲେ।

ଏହି ମାମଲା ୨୦୦୯ରୁ ଚାଲୁଥିଲା। ସେତେବେଳେ ମହିଳା ଜଣଙ୍କୁ ୨୧ ବର୍ଷ ହୋଇଥିଲା ଓ ପୁରୁଷ ଜଣଙ୍କୁ ୨୪ ବର୍ଷ ହୋଇଥିଲା। ତଳକୋର୍ଟ ମଧ୍ୟ ଏହି ବାହାଘରକୁ ରଦ୍ଦ କରିଥିଲେ। ତେବେ ତଳକୋର୍ଟର ରାୟ ବିରୋଧୀ ସ୍ୱାମୀ ହାଇକୋର୍ଟରେ ଅପିଲ୍ କରିଥିଲେ।